ସୋର (ଜ୍ୟୋତି ପ୍ରକାଶ ଦିକ୍ଷିତ): ସୋରରେ ହାତୀ। କିନ୍ତୁ ଏ ହାତୀ କୌଣସି ମନୋରଞ୍ଜନ ପାଇଁ ନୁହେଁ ବରଂ ଏହି ଘଟଣା ହାତୀ ଉପଦ୍ରଵର ପ୍ରାରମ୍ଭିକ ସୂଚନା। ଯଦି ବନ ବିଭାଗ ଏ ଦିଗରେ ହାତୀ ଘଉଡ଼ାଇବା ପାଇଁ ଲୋକଙ୍କ ଭିତରେ ସଚେତନତା ସହ ନିଜେ ସଜାଗ ନ ରହିବ ତେବେ ଆଗାମୀ ଦିନରେ ହାତୀ ଉପଦ୍ରଵ ଓ ଆକ୍ରମଣ ଘଟଣା ବୃଦ୍ଧି ପାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଘଟଣାରୁ ପ୍ରକାଶ ଯେ ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସାହିରେ ଗତକାଲି ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଏହି ଗ୍ରାମର ନିରାକାର କବି ଘରେ ଏକା ଥିବା ବେଳେ ତାଙ୍କ ବାଡ଼ିରେ ଏକ ଦନ୍ତାହାତୀ ପଶିବା ସହିତ ବାଡ଼ିରେ ଥିବା ବିଭିନ୍ନ ଗଛ ଭାଙ୍ଗିଥିଲା। ହାତୀର ଶବ୍ଦ ଶୁଣି ନିରାକାର ଭୟଭୀତ ଥିବା ବେଳେ ସମାନ ଅବସ୍ଥାକୁ ସାମ୍ନା କରିଥିଲେ ଗ୍ରାମର ଯୁଧିଷ୍ଠିର ବେହେରା। ତାଙ୍କ ବାଡ଼ିରେ ମଧ୍ୟ ହାତୀ ପଶିବା ସହିତ ଗଛପତ୍ର ଭାଙ୍ଗିଥିବା ଜଣାପଡିଛି। ବାରମ୍ବାର ହାତୀ ଏହି ଅଂଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳୁଥିବାରୁ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାର ବ୍ୟବସ୍ଥା ପାଇଁ ଦାବି ହୋଇଛି।
