
ସୋର (ଜ୍ୟୋତି ପ୍ରକାଶ ଦିକ୍ଷିତ): ନୃତ୍ୟ କେଉଁ ଆବାହନ କାଳରୁ ଚାଲି ଆସିଛି। ଏହି ନୃତ୍ୟ ବିଷୟ ଯେବେ ଆସେ ସେତେବେଳେ ଓଡ଼ିଶାର ଓଡ଼ିଶୀ କଥା କେମିତି ପ୍ରଥମେ ନ ଆସିବ। ମାତ୍ର ଆଜିର ଦୁନିଆରେ ଡି ଜେର ତାଳେ ତାଳେ ଆଧୁନିକ ଦ୍ବି ଅର୍ଥବୋଧକ ଗୀତ ଓ ରିଲସ ମାୟାରେ ଏବର ଯୁବ ପୀଢ଼ି ସଂସ୍କୃତି ଭିତ୍ତିକ ଯାହା ପାଇଁ ବିଶ୍ୱ ଦରବାରରେ ଆମ ଓଡ଼ିଶା ପରିଚିତ ସେହି ଓଡ଼ିଶୀ ନୃତ୍ୟକୁ ଆପଣାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି। ମାତ୍ର ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାରେ ଥିବା ଓଡ଼ିଶୀ ପାଇଁ ସଦା ସମର୍ପିତ ନୃତ୍ୟ ଗୁରୁ ମିତାଲୀ ଷଡ଼ଙ୍ଗୀଙ୍କ ‘ନୂପୁର’ ନୃତ୍ୟ ଅନୁଷ୍ଠାନ ବର୍ଷ ତମାମ କୁନି କୁନି ନୃତ୍ୟ ଶିଳ୍ପୀ ମାନଙ୍କୁ ନୂଆ ଶୈଳୀରେ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରିବା ଆମ ଓଡ଼ିଶୀ ନୃତ୍ୟ ପ୍ରତି ସମର୍ପଣ ଭାବର ପରି ପ୍ରକାଶ କରୁଛି। ଏହି ପରିପ୍ରେକ୍ଷୀରେ ଗତ ମେ ୩୦ ତାରିଖରୁ ଜୁନ ୦୨ ତାରିଖ ପର୍ଯ୍ୟନ୍ତ ଗୁରୁ ଅଂଶୁମାନ ମିଶ୍ରଙ୍କ ଦ୍ୱାରା ଏକ ଓଡ଼ିଶୀ ନୃତ୍ୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ଭୁବନେଶ୍ୱରରୁ ଖ୍ୟାତନାମା ଓଡ଼ିଶୀ ନୃତ୍ୟ ଗୁରୁ ଅଂଶୁମାନ ମିଶ୍ର ଯୋଗ ଦେଇ ୪୦ ଜଣ ନୃତ୍ୟ ଛାତ୍ରୀ ମାନଙ୍କୁ ଓଡ଼ିଶୀ ନୃତ୍ୟର ବିଭିନ୍ନ ତାଳ, ଲୟ ସହ ନୂତନ ଶୈଳୀରେ କେମିତି ଭାବ ସହ ନୃତ୍ୟର ତାଳ ରହିବ ସେ ବିଷୟରେ ଶିକ୍ଷା ଦେବା ସହ ନିଜେ ନୃତ୍ୟ ମାଧ୍ୟମରେ ଶିଖାଇଥିଲେ। ଏହି ୪ ଦିନ ଧରି ଚାଲିଥିବା ଓଡ଼ିଶୀ ନୃତ୍ୟ କର୍ମଶାଳାରେ ତିନୋଟି ବର୍ଗରେ ୪୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳା ସୋରରେ ନୂପୁର ତରଫରୁ ଦ୍ୱିତୀୟ ବର୍ଷ ପାଇଁ କରାଯାଇଥିଲା ବୋଲି ନୃତ୍ୟ ଛାତ୍ରୀ ମାନେ ପ୍ରକାଶ କରିଥିଲେ।