*ନୂଆପଡ଼ାରେ ଡିଏମ୍ଡି ପୀଡ଼ିତ ୧୪ ବର୍ଷୀୟ ବାଳକଙ୍କ ଚିକିତ୍ସା ପାଇଁ ସିଏମ୍ଆର୍ଏଫ୍ରୁ ୧୦ ଲକ୍ଷ ଟଙ୍କା ସହାୟତା*
ନୂଆପଡ଼ା( ମିଖାଏଲ ନନ୍ଦ)
ତା-୩୦/୦୫ :
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ଏକ ଡୁଚେନ୍ ମସ୍କୁଲାର ଡିଷ୍ଟ୍ରୋଫି (DMD) ରୋଗରେ ପୀଡ଼ିତ ୧୪ ବର୍ଷୀୟ ବାଳକର ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୧୦ ଲକ୍ଷ ଟଙ୍କାର ସହାୟତା ଚେକ୍ ପ୍ରଦାନ କରିଛନ୍ତି।ଖଡ଼ିଆଳ ଥାନା ଅନ୍ତର୍ଗତ ଗୋଦ୍ଧୁଆପଦର ଗ୍ରାମର
ସଚିନ ଶବର ଦୀର୍ଘଦିନ ଧରି ଏହି ଦୁରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି। ଆଜି ଏହି ଚେକ ତାଙ୍କ ପିତା ଗଣେଶ ଶବରଙ୍କୁ ହସ୍ତାନ୍ତର କରାଯାଇଛିl ଗଣେଶ ଶବରଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବାରୁ ଉନ୍ନତ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟୟ ବହନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନଥିଲା। ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଆବେଦନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନର ଯାଞ୍ଚ ଓ ସୁପାରିଶ ପରେ ଚିକିତ୍ସା ନିମନ୍ତେ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଗୁରୁତର ଓ ଦୁରାରୋଗ୍ୟ ରୋଗରେ ପୀଡ଼ିତ ଅସହାୟ ରୋଗୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ପାଲଟିଛି। ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସୁବିଧା ଯଥାଶୀଘ୍ର ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ରହିଛି।
ଏହି ଅବସରରେ ଉପ ଜିଲ୍ଲାପାଳ (ଜରୁରୀକାଳୀନ) ଶେଖ ନସୀମ ଉପସ୍ଥିତ ଥିଲେ। ସହାୟତା ମଞ୍ଜୁର ହୋଇଥିବାରୁ ସଚିନ ଶବରଙ୍କ ପରିବାର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି l
