ଦୁଇ ବାଇକ ମୁଁହାମୁହିଁ , ଜଣେ ମୃତ, ୩ ଗୁରୁତ୍ତର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) : ସୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ ଅନନ୍ତପୁର ଥାନା ବାଲିଛନ୍ଦାଘାଟ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକା ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ମୁତାବକ କଷିଆ ମେରାଇନ ଥାନା ଅନ୍ତର୍ଗତ ସାନକୃଷ୍ଣପୁର ଗ୍ରାମର ରାମଚନ୍ଦ୍ର ବେହେରା (୪୮) ଓ ତାଙ୍କ ପୁତୁରା ବୁଦ୍ଧିରାମ ବେହେରା(୪୦) ବୋଟରେ ମାଛମାରିବାକୁ ସମୁଦ୍ରକୁ ଯାଆନ୍ତି। ଆଜି ମଧ୍ୟାହ୍ନରେ କଷାଫଳରୁ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବାଲିଛନ୍ଦା ଘାଟ ନିକଟରେ ବାସୁଦେବପୁରରୁ ଅନନ୍ତପୁର ଅଭିମୁଖେ ଆସୁଥିବା ଏକ ବାଇକ ସହ ତାଙ୍କର ମୁହାଁମୁହିଁ ଧକା ହୋଇଥିଲା। ଫଳରେ ରାମଚନ୍ଦ୍ର ଓ ବୁଦ୍ଧିରାମଙ୍କ ସମେତ ସମସ୍ତେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ରାମଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ତିନିଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଅନନ୍ତପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଦୁଇଟିକୁ ଜବତ କରି ଥାନାରେ ରଖିବା ସହିତ ରାମଚନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।ତେବେ ଅନ୍ୟ ବାଇକରେ ଯାଉଥିବା ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ।
