ରାୟଗଡ଼ ବ୍ଲକରେ ସାମାଜିକ ସମୀକ୍ଷା ଜନ ଶୁଣାଣି ଅନୁଷ୍ଠିତ
(ରାୟଗଡ଼ା:ରମେଶ ଅଗ୍ରୱାଲ:ନିପ୍ର.)
ତା ୧୩.୫.୨୦୨୬
ରାୟଗଡ଼ ବ୍ଲକ ସଦଭାବନା ସଭାଗୃହ ପରିସରରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବିନ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରି ସରକାରୀ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରକ୍ଷାକରିବା ଏହାର ଉଦ୍ଦେଶ୍ୟ ବୋଲି କହିଥିଲେ। ଗତ ଏପ୍ରିଲ ଠାରୁ ସେପ୍ଟେମ୍ବର ମାସ ୨୦୨୫ ମଧ୍ୟରେ ମନରେଗା, ପି ଏମ ପୋଷଣ ଏବଂ ସାଧାରଣ ବଣ୍ଟନ ଭଳି ସରକାରୀ ଯୋଜନାର କାର୍ଯ୍ୟକାରିତା ବିଷୟରେ ଅନୁଷ୍ଠିତ ସାମାଜିକ ସମୀକ୍ଷାର ଜନ ଶୁଣାଣି କରାଯାଇଥିଲା। ବିଡ଼ିଓ ସୁଜିତ କୁମାର ମିଶ୍ର, ଏବିଡ଼ିଓ କାଳୁ ଚରଣ ନାୟକ, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ସ୍ମୃତିରେଖା ନାୟକ, ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀ ସତ୍ୟ ହୂଇକା, ଯୋଗାଣ ଅଧିକାରୀ ମାନସ ସୁନା ଓ ଶିକ୍ଷା ବିଭାଗରୁ ଏବିଇଓ ବଳରାମ ହୁଇକା ମଞ୍ଚାସିନ ଥିଲେ। ଗତ ୨୩ ଅକ୍ଟୋବର ୨୦୨୫ ଠାରୁ ୧୯ ମାର୍ଚ୍ଚ ୨୦୨୬ ମଧ୍ୟରେ ଚଉଦ ଜଣ ଭିଆରପି ଚାରୋଟି ଦଳରେ ରାୟଗଡ଼ ବ୍ଲକର ୨୮ଗୋଟି ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟ, ସାଧାରଣ ବଣ୍ଟନ କେନ୍ଦ୍ର ଓ ବିଦ୍ୟାଳୟ ଗୁଡ଼ିକ ପରିଦର୍ଶନ କରି ଯୋଜନାର କାର୍ଯ୍ୟକାରିତା ବିଷୟରେ କରିଥିବା ସମୀକ୍ଷାର ବିବରଣୀ ଗୃହରେ ଉପସ୍ଥାପନ କରିଥିଲେ। ଗ୍ରାମ ପଞ୍ଚାୟତ ସ୍ତରରେ ମନରେଗା ଯୋଜନା ନିର୍ଦ୍ଧାରିତ ସାତ ପ୍ରକାର ରେଜିଷ୍ଟର , ମାଷ୍ଟର ରୋଲ ଓ ରେକର୍ଡ ପରିଚାଳନା ସମ୍ପର୍କିତ ସମସ୍ତ ତଥ୍ୟ ଏଥିରେ ଆଲୋଚନାର ପରିସରଭୁକ୍ତ ଥିଲା। ହର୍ଟିକଲଚର ବିଭାଗ ତରଫରୁ କୋଟି କୋଟି ଟଙ୍କାର ବ୍ୟୟ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଆବଶ୍ୟକ ରେକର୍ଡ ସମୀକ୍ଷା ନିମନ୍ତେ ଉପସ୍ଥାପନ କରାଯାଇନଥିବା ସମୀକ୍ଷା ଅଧିକାରୀ ଦୃଷ୍ଟି ଆକର୍ଷଣ କରିଥିଲେ। ନୂତନ ପଡ଼ିକାର୍ଡ ପ୍ରଦାନ ନିମନ୍ତେ ୫୭ ଜଣଙ୍କ ଦରଖାସ୍ତ ସମୀକ୍ଷା ତାରିଖ ସୁଦ୍ଧା ବକେୟାଥିବା ବେଳେ ସେମାନଙ୍କୁ ନୂତନ ପଡିକାର୍ଡ ପ୍ରଦାନ କରାଯାଇଥିବା ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି । ପୋଷଣ ଯୋଜନାର ସମୀକ୍ଷା ସମୟରେ ବିଦ୍ୟାଳୟ ଗୁଡିକରେ ରନ୍ଧାଗୃହର ମରାମତି, ଭୋଜନାଳୟ ଓ ଶ୍ରେଣୀଗୃହର ଅଭାବ, ଅନେକ ବିଦ୍ୟାଳୟରେ ପାଣି ଗଳିବା, ବିଦ୍ୟାଳୟରେ ହତା ଅଭାବରୁ ସୁରକ୍ଷାର ଆବଶ୍ୟକତା, ସ୍ୱଳ୍ପ ସଂଖ୍ୟକ ଶିକ୍ଷକ, ପୋଷଣ ଖାଦ୍ୟର ମାନ, ଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା ଆଦି ସମସ୍ୟା ଆଲୋଚନାର ପରିସରଭୁକ୍ତ ଥିଲା।
ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ହର୍ଟିକଲଚର ବିଭାଗର ବେପରୁଆ ନୀତିର ନିନ୍ଦା କରିବା ସହ ସମୀକ୍ଷା ଅଧୀକାରୀଙ୍କୁ ସମସ୍ତ ସହଯୋଗ ପ୍ରଦାନ ସହ ଭବିଷ୍ୟତରେ ଏପରି ତୃଟି ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିପଦ ସଙ୍କୁଳ ବିଦ୍ୟାଳୟ ତଥା ରନ୍ଧାଗୃହ, ଶୌଚାଳୟ ଆବଶ୍ୟକ ଥିବା ବିଦ୍ୟାଳୟର ତାଲିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ବିଡ଼ିଓଙ୍କୁ ଦେବାସହ ନିର୍ଦ୍ଧାରିତ ମାନର ଖାଦ୍ୟ ନିମନ୍ତେ ସ୍କ୍ୱାର୍ଡ ଗଠନ କରି ଖାଦ୍ୟର ମାନ ଯାଞ୍ଚ କରିବା ଓ ବିବରଣୀ ପ୍ରଶାସନର ଦୃଷ୍ଟିକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଶିଶୁ ଯେପରି ସେମାନଙ୍କ ଶିକ୍ଷା, ପୋଷଣ ଓ ସୁରକ୍ଷାର ଅଧିକାରରୁ ବଞ୍ଚିତ ହେବେନାହିଁ, ସେଥିପ୍ରତି ବିହିତ ପଦକ୍ଷେପ ନେବାପାଇଁ ଶିକ୍ଷା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଧାରୁ ପାଠ ଛାଡିଥିବା ସମସ୍ତ ଶିଶୁଙ୍କୁ ଯେପରି ଚିହ୍ନଟକରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଆବଶ୍ୟକ ଜନସଚେତତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ପ୍ରବର୍ତ୍ତାଇଛନ୍ତି । ଏଥିରେ ରାୟଗଡ଼ ବ୍ଲକର ସମସ୍ତ ଏଡିଇଓ, ଜିଆରଏସ, ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସରପଞ୍ଚ, ନିର୍ବାଚିତ ପ୍ରତିନିଧି, ସାମାଜିକ ସମୀକ୍ଷକ ଓ ଜନସାଧାରଣ ଉପସ୍ଥିତ ଥିଲେ ।
