
*ଜାତୀୟ ମାନବାଧିକାର କମିଶନଙ୍କ ଉଦବେଗ ପ୍ରକାଶ, ଜିଲ୍ଲାପାଳଙ୍କୁ ନୋଟିସ ଜାରି
*ଗାଁକୁ ଗମନାଗମନ ସେବା ବିଛିନ୍ନ, ଅପହଞ୍ଚ ଆମ୍ବୁଲାନ୍ସ ସେବା, ପ୍ରାଣ ହାରିଲେ ଗୁରୁତର ରୋଗୀ
ହରଭଙ୍ଗା( ):- ହରଭଙ୍ଗା ବ୍ଲକ ଅନ୍ତର୍ଗତ ତଳଗାଁ ଗ୍ରାମ ପଞ୍ଚାୟତର ରାଣୀସାହି ଗ୍ରାମର ଗମନାଗମନ ସେବା ବିଛିନ୍ନ ଭଳି ମୌଳିକ ସମସ୍ୟା ପାଇଁ ଆମ୍ବୁଲାନ୍ସ ସେବା ଅପହଞ୍ଚ ଯୋଗୁଁ ଇନ୍ଦୁମତି ନାୟକଙ୍କ(୭୦) ମୃତ୍ୟୁ ପ୍ରସଙ୍ଗକୁ କେନ୍ଦ୍ରକରି ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବିଭାଗୀୟ ଅଧିକାରୀଙ୍କ ଅବହେଳା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଦାବି ଜୋର ଧରିଥିଲା l ଏନେଇ ବିଭିନ୍ନ ଦୈନିକ ସମ୍ବାଦପତ୍ରମାନଙ୍କରେ ଖବର ପ୍ରସାରଣ ହେବା ପରେ ହରଭଙ୍ଗା ଅଞ୍ଚଳର ବରିଷ୍ଠ ମାନବାଧିକାର କର୍ମୀ ତଥା “People’s Voice” ଡିଜିଟାଲ ମିଡ଼ିଆର ମୁଖ୍ୟ ସମ୍ପାଦକ ସଚ୍ଚିନ୍ଦ୍ର କୁମାର ସାହୁଙ୍କ ପକ୍ଷରୁ ତା- ୦୬/୧୨/୨୦୨୪ରିଖରେ କେସ /ଫାଇଲ ନଂ – ୧୬୧୮/୧୮/୧୯/୨୦୨୪ ଅନୁଯାୟୀ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ପଞ୍ଜିକୃତ କରାଯାଇଥିଲା l ସ୍ୱାଧୀନତାର ଅର୍ଦ୍ଧ ଶତାବ୍ଦୀ ଅତିବାହିତ ସତ୍ତ୍ୱେ ହରଭଙ୍ଗା ଅଞ୍ଚଳର ଜନସାଧାରଣ ସର୍ବନିମ୍ନ ମୌଳିକ ଆବଶ୍ୟକତାରୁ ବଞ୍ଚିତ ହେବା ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ମାନବାଧିକାର ବିପନ୍ନ ହେବା ନେଇ ଆବେଦନରେ ଦର୍ଶାଯାଇଥିଲା l ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଜାତୀୟ ମାନବାଧିକାର କମିଶନ ଉଦବେଗ ପ୍ରକାଶ କରିବା ସହ ଗତ ତା- ୧୯/୦୫/୨୦୨୫ରିଖରେ ଆବେଦନର ପ୍ରାଥମିକ ଶୁଣାଣି କରି ଆସନ୍ତା ୨ ସପ୍ତାହ ମଧ୍ୟରେ ନିରପେକ୍ଷ ତଦନ୍ତ ପୂର୍ବକ ସବିଶେଷ ରିପୋର୍ଟ ପ୍ରଦାନ ତଥା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l