ବିବାହ ଶୋଭାଯାତ୍ରା ସମୟରେ ଗଣ୍ଡଗୋଳ: ଉତ୍ୟକ୍ତ ଲୋକଙ୍କ ଦ୍ଵାରା ବାଇକ୍ ପୋଡ଼ାଜଳା।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ,ନିପ୍ର ):::: ସୋର ବ୍ଲକ ତଳନଗର ପଞ୍ଚାୟତ ତଳନଗର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବରଯାତ୍ରୀ ଶୋଭାଯାତ୍ରାରେ ଗଣ୍ଡଗୋଳ ହେବା ଫଳରେ ଉତ୍ୟକ୍ତ ଲୋକେ ଏକ ବାଇକ ପୋଡି ଦେଇଥିବା ଜଣାପଡିଛି।ସୂଚନା ଅନୁସାରେ ଗତକାଲି ରାତିରେ ସବିରା ଅଞ୍ଚଳରୁ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ତଳନଗର ଗ୍ରାମକୁ ଆସିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର କିଛି ଯୁବକଙ୍କ ସହ ବରଯାତ୍ରୀରେ ଆସିଥିବା କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ ଶଙ୍କର୍ଷଣ ପଲେଇ ନାମକ ଜଣେ ଯୁବକ ଗୁରୁତ୍ତର ଆହତ ହୋଇଥିବା ବେଳେ ଉତ୍ୟକ୍ତ ଯୁବକ ମାନେ ଏକ ବାଇକକୁ ପୋଡି ଦେଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ପୁଲିସ ପୋଡି ଯାଇଥିବା ବାଇକ ଟିକୁ ଥାନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
