କାଗଜରୁ ତିଆରି ହେଉଛି ଗୁଟକା ପୋଡ଼ା ମୋବିଲରୁ ଖାଇବା ତେଲ
ବରପାଲିରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଉପରେ ଚଢାଉ
ବରଗଡ : ୦୭/୦୫(ନି ପ୍ର) ବରଗଡ଼ ଜିଲ୍ଲାର ବରପାଲି ସାପ୍ତାହିକ ବଜାର ରାସ୍ତା ଅଞ୍ଚଳରେ ଚାଲୁଥିବା ଏକ ବିଶାଳ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଉପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଛି। ଦୀର୍ଘ ଦିନ ଧରି ଏଠାରେ ଚକୋଲେଟ୍, ବିସ୍କୁଟ୍, ସଫ୍ଟ ଡ୍ରିଙ୍କ୍ସ, ଖାଦ୍ୟ ତେଲ ଓ ଗୁଟଖା ଭଳି ବିଭିନ୍ନ ଅପମିଶ୍ରିତ ତଥା ନକଲି ସାମଗ୍ରୀ ପ୍ରସ୍ତୁତ ହୋଇ ବଜାରକୁ ସପ୍ଲାଏ ହେଉଥିବା ଅଭିଯୋଗ ହୋଇଥିଲା।
ତଦନ୍ତ ସମୟରେ କିଛି ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଜଣାପଡ଼ିଛି ଯେ, ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳି ଏହି କାରଖାନାରେ ପୋଡ଼ା ମୋବିଲ୍ ତେଲରୁ ଖାଦ୍ୟ ତେଲ ପ୍ରସ୍ତୁତ କରାଯାଉଥିଲା। ସେହିଭଳି କାଗଜ ମିଶାଇ ଗୁଟଖା ପ୍ରସ୍ତୁତ ହେଉଥିବା ବେଳେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଅନ୍ୟାନ୍ୟ ସାମଗ୍ରୀ ତିଆରି ହେଉଥିଲା। ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ, କଞ୍ଚାମାଲ, ପ୍ୟାକିଂ ମେସିନ୍ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ ହୋଇଥିଲା।
ପ୍ରଶାସନ ପକ୍ଷରୁ କାରଖାନାକୁ ସିଲ୍ କରାଯାଇଛି। କାରଖାନା ମାଲିକ ଅବିନାଶ ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ ଓ ସୁମିତ ଅଗ୍ରୱାଲ। ଘଟଣାସ୍ଥଳରୁ ଫେରାର ଅଛନ୍ତି।
ଚଢାଉ ସମୟରେ ଅଭିଯୁକ୍ତମାନେ ଘର ଦ୍ୱାର ନଖୋଲିବାରୁ ପୁଲିସ ପୁରା ଘରକୁ ଘେରାଉ କରିଥିଲା। ଏହି ଚଢାଉରେ ସ୍ଥାନୀୟ ତହସିଲଦାର, ଫୁଡ୍ ଇନ୍ସପେକ୍ଟର, ସାନିଟାରୀ ଇନ୍ସପେକ୍ଟର ଓ ପୁଲିସ ଅଧିକାରୀମାନେ ସାମିଲ ହୋଇଥିଲେ। ପୁଲିସ ବର୍ତ୍ତମାନ ଫେରାର ଅଭିଯୁକ୍ତଙ୍କୁ ଖୋଜାଖୋଜି ଜାରି ରଖିଛି।
