ଚିତ୍ରକୋଣ୍ଡା – ୦୪/୦୫/୨୦୨୬
(ସୁକୁମାର ମଣ୍ଡଳ)
ବିଛିନ୍ନ ଅଞ୍ଚଳରେ ଜନ ହିତକାରୀ କାର୍ଯ୍ୟରେ ନିୟୋଜିତ ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସମିତି ଚିତ୍ରକୋଣ୍ଡା।
ମାଲକାନଗିରି ଜିଲ୍ଲାର ବିଛିନ୍ନ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସମିତି ଚିତ୍ରକୋଣ୍ଡା। ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ମଧ୍ୟରେ ଶିକ୍ଷା, ବୃକ୍ଷରୋପଣ, ସିଲେଇ ଅନ୍ୟତମ।ଏହି ସମିତିର କର୍ମକର୍ତ୍ତା ମାନଙ୍କର କହିବା ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ବିଭିନ୍ନ କାରଣରୁ ବିଦ୍ୟାଳୟରେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ରାତିରେ ପାଠ ପଢ଼ାର ସୂଯୋଗ କରି ଦେଇଛନ୍ତି ଏହି ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସମିତି। ଠିକ୍ ସେହିପରି ଚିତ୍ରକୋଣ୍ଡା ଭଳି ଉପାନ୍ତ ଅଞ୍ଚଳ ଯେଉଁଠାରେ ଧାନ ରାଶି ଭଳି ଫସଲ ଠିକ୍ ଭାବରେ ଚାଷ ହୋଇ ପାରୁ ନାହିଁ ସେଠାରେ ଏହି ସମିତି ଚାଷୀମାନଙ୍କୁ ବୃକ୍ଷ ରୋପଣ କରାଇ ଲାଭବାନ ହେବାରେ ସାହାଯ୍ୟ କରିଛନ୍ତି। ଅନ୍ୟ ପକ୍ଷରେ ଯେଉଁସବୁ ଅଞ୍ଚଳରେ ମା ମାନେ କୌଣସି କାମଧନ୍ଦା ନ ପାଇ ଦାରିଦ୍ର୍ୟତାକୁ ଆପଣେଇ ନେଇଥିଲେ ସେହିସବୁ ଅଞ୍ଚଳରେ ଏହି ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସମିତି ମା ମାନଙ୍କୁ ସିଲେଇ ମେସିନ ଯୋଗାଇ ସ୍ବାବଲମ୍ବୀ କରାଇ ପାରିଛନ୍ତି। ଏହି ସବୁ ଉନ୍ନୟନମୂଳକ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଆଜି ଚିତ୍ରକୋଣ୍ଡା ସ୍ଥିତ ଶିଶୁ ମନ୍ଦିରରେ ଏକ ସଭାର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ସଭାରେ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଙ୍ଗାଧର ସୋଡ଼ି ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ସେ ନିଜ ଅଭିଭାଷଣରେ କହିଥିଲେ ଯେ ଏହି ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସମିତି ଯେଉଁ ସବୁ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି ତାହା ସ୍ବାଗତଯୋଗ୍ୟ। ଏହି ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସମିତି କିଭଳି ଭାବରେ ଆଗକୁ ବଢ଼ି ପାରିବ ସେଥିପ୍ରତି ସେ ଯଥାସାଧ୍ୟ ଚେଷ୍ଟା କରିବେ।
