*ପତ୍ର ଦର-ବୋନସ ଘୋଷଣାରେ ବିଳମ୍ବ, କର୍ମଚାରୀ ଉଚିତ୍ ଦରମାରୁ ବଞ୍ଚିତ: ରାଜ୍ୟବ୍ୟାପୀ କେନ୍ଦୁପତ୍ର ଶ୍ରମିକଙ୍କ ଧାରଣା*
*୨୦୦୦ରୁ ଅଧିକ ପଞ୍ଚାୟତରେ ଆନ୍ଦୋଳନ, ୫ ଲକ୍ଷରୁ ଅଧିକ ଶ୍ରମିକଙ୍କ ଯୋଗଦାନ ।
ରେଢ଼ାଖୋଲର ସମସ୍ତ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ*
ରେଢ଼ାଖୋଲ (ଭଂଜଦୂତ )୦୨/୦୫:
ରେଢ଼ାଖୋଲ ଡିଭିଜନର ସମସ୍ତ କେନ୍ଦୁପତ୍ର ସଂଗ୍ରହ ହେଉଥିବା ପଞ୍ଚାୟତମାନଙ୍କରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇ ପଞ୍ଚାୟତ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ରାଜ୍ୟର ୧୯ଟି କେନ୍ଦୁପତ୍ର ଡିଭିଜନରେ ଏପ୍ରିଲ ୧୦ରୁ ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କେନ୍ଦୁପତ୍ର କେରି ପ୍ରତି ଦର ନିର୍ଦ୍ଧାରଣ କରିପାରିନାହାନ୍ତି। ତୋଳାଳୀ ଓ ସିଜିନାଲ କର୍ମଚାରୀଙ୍କ ପାଇଁ ବୋନସ, ମାସିକ ମଜୁରୀ ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ବଣ୍ଡଲ ଦର ଘୋଷଣା ମଧ୍ୟ ହୋଇନାହିଁ। କେନ୍ଦୁପତ୍ର ଉନ୍ନୟନ ପରିଷଦର ବୈଠକ ମଧ୍ୟ ବସିପାରିନାହିଁ।
ଏହି ପରିସ୍ଥିତିକୁ ନେଇ ସଂଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ଦର ଓ ବୋନସ ଘୋଷଣା ନ ହେବା ଏକ ଅଭୂତପୂର୍ବ ଘଟଣା। ୨୦୨୪ ଜୁଲାଇରେ ସର୍ବନିମ୍ନ ମଜୁରୀ ଘୋଷଣା ହୋଇଥିଲେ ମଧ୍ୟ ସେହି ଅନୁପାତରେ ମାସିକ ମଜୁରୀ ନିର୍ଦ୍ଧାରିତ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ବନ୍ଧେଇ ଶ୍ରମିକଙ୍କ ବଣ୍ଡଲ ଦର ବୃଦ୍ଧି ଓ ମୃତ୍ୟୁକାଳୀନ ଆର୍ଥିକ ସହାୟତା ବୃଦ୍ଧି ମଧ୍ୟ ହୋଇନାହିଁ। ସଂଘ ପକ୍ଷରୁ ଏହି ସମସ୍ୟାଗୁଡିକୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଜଙ୍ଗଲ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ସତ୍ୱେ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ। ଗତ ଫେବୃଆରୀ ୨୦ ଓ ୨୧ରେ ୧୦୦ରୁ ଅଧିକ ରେଞ୍ଜରେ ଗଣଧାରଣା ହୋଇଥିଲା ଏବଂ ଫେବୃଆରୀ ୨୭ରେ ରାସ୍ତାରୋକ ଆନ୍ଦୋଳନ ପୂର୍ବରୁ ସରକାରଙ୍କ ଅନୁରୋଧରେ ସ୍ଥଗିତ ରଖାଯାଇଥିଲା। ମାର୍ଚ୍ଚ ୨ରେ ସଚିବାଳୟରେ ଆଲୋଚନା ହେଲେ ମଧ୍ୟ ଦାବି ପୂରଣରେ ବିଳମ୍ବ ହେଉଥିବାରୁ ଶ୍ରମିକମାନଙ୍କ ଅସନ୍ତୋଷ ବଢ଼ିଛି। ସଂଘ ଅଭିଯୋଗ କରିଛି ଯେ, ଦୁଇ ମାସ ହେଉଛି କେତେକ ଶ୍ରମିକଙ୍କୁ ମଜୁରୀ ମିଳିନାହିଁ ଓ ଏହାର ଫଳରେ ଲକ୍ଷାଧିକ ଶ୍ରମିକ ଆର୍ଥିକ ସଙ୍କଟ ଓ ନିରାଶାରେ ଅଛନ୍ତି।
ରେଢ଼ାଖୋଲ ଡିଭିଜନରେ ବିଭିନ୍ନ ପଞ୍ଚାୟତ ହୋଇଥିବା କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଗୋକୁଳ ମେହେର, ସଂଗଠନ ସାଧାରଣ ସମ୍ପାଦକ ସଂଜିତ ମହାନ୍ତି, ରେଢ଼ାଖୋଲ ଡିଭିଜନ ସମ୍ପାଦକ କିଶୋର ପ୍ରଧାନ, ଯୁଗ୍ମ ସମ୍ପାଦକ ଉଦିତ ତ୍ରିପାଠୀ, ଦେବଜ୍ୟୋତି ପଟ୍ଟନାୟକ, ଭିକାରୀ ପ୍ରଧାନ,ସୁମିତ ପଟେଲ, ଅଜିତ୍ ଦେଓ, ନୀଳାଦ୍ରି ପ୍ରଧାନ, ଜିତେନ୍ଦ୍ରିୟ ଷଣ୍ଢ, ଆଖୋଜ ପ୍ରଧାନ, ତିର୍ଥବାସି ପ୍ରଧାନ, ଟିକେଶ୍ୱର ଝାଙ୍କର, ପ୍ରମୋଦ ସାହୁ, ଜିତେନ୍ଦ୍ରିୟ ପ୍ରଧାନ, ଅରୁଣ ପ୍ରଧାନ, ସତ୍ୟବାଦୀ ନାୟକ, ସୁମିତ୍ରା ବେହେରା, କାନ୍ତ ଲୋଇ,
ପ୍ରମୁଖ ଉପସ୍ଥିତ ଥିଲେ।
ଏଠାରେ ଉଲ୍ଲେଖ ଥାଉକି ଆଜି ଓଡ଼ିଶାର ୨୨ ଟି ଜିଲ୍ଲାରେ ଦୁଇ ହଜାର ରୁ ଅଧିକ ପଞ୍ଚାୟତ ରେ ଏହି ଧାରଣା ସମାବେଶ ହୋଇଥିବା ବେଳେ ଲକ୍ଷାଧିକ ତୋଳାଳୀ କର୍ମଚାରୀ ଭାଗ ନେଇଥିବା ସଂଘର ସଭାପତି ବିଜୟ ମହାନ୍ତି ପ୍ରକାଶ କରିଛନ୍ତି।
