ସି ଏମ ଫୁଟବଲ ଟ୍ରଫିରେ ପୁରଣ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚମ୍ପିଆନ । ରଘୁନାଥପୁର(ନି.ପ୍ର): ଚଳିତବର୍ଷ ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ବିଗତ ୭ ଦିନ ଧରି ଚାଲିଥିବା ୧୪ ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ ବାଳିକା ବିଭାଗ ଫୁଟବଲ ଟ୍ରଫି ପ୍ରତିଯୋଗିତାରେ ରଘୁନାଥପୁର ବ୍ଲକର ପୁରଣ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଚମ୍ପିଆନ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଜିଲ୍ଲାର ବୋରିକେନା ହାଇସ୍କୁଲ, ରଘୁନାଥପୁର ପୁରଣ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ତାରପୁର ହାଇସ୍କୁଲ ଓ ବିରିଡ଼ି ବ୍ଲକର ପୁରଣ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଭାଗ ନେଇଥିଲେ। କ୍ରୀଡ଼ା ଶିକ୍ଷକ ନସିମୁଦ୍ଦିନ ଖାଁଙ୍କ ପ୍ରଶିକ୍ଷଣରେ ପୁରଣ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଏହି ଚମ୍ପିଆନ ଟ୍ରଫି ହାସଲ କରିଥିବାରୁ ରଘୁନାଥପୁର ଶିକ୍ଷା ମଣ୍ଡଳ ପକ୍ଷରୁ ତାଙ୍କୁ ସାଧୁବାଦ ଜଣାଇ ଦିଆଯାଇଛି। ସେହିପରି କ୍ରୀଡ଼ା ଶିକ୍ଷକ ଶ୍ରୀ ଖାଁଙ୍କ ପ୍ରଶିକ୍ଷଣରେ ଜିଲ୍ଲା ୧୪ବର୍ଷରୁ କମ୍ ବାଳକ ବିଭାଗ ମୁଖ୍ୟମନ୍ତ୍ରୀ ଫୁଟବଲ ଟ୍ରଫିରେ ରଘୁନାଥପୁର ବ୍ଲକ ପୁରଣ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ରନର୍ସ କପ୍ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଜିଲ୍ଲାର ପାରାଦ୍ୱୀପ ପୋର୍ଟ ହାଇସ୍କୁଲ,ପୁରଣ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବୋରିକେନା ହାଇସ୍କୁଲ, ତାରପୁର ହାଇସ୍କୁଲ, ରାଜଧାନୀ ହାଇସ୍କୁଲ ଓ ପିଏମ୍ ଶ୍ରୀ ପୁରଣ ହାଇସ୍କୁଲର ଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ। ଏଥିରେ ପାରାଦ୍ୱୀପ ହାଇସ୍କୁଲ ଚମ୍ପିଆନ ହୋଇଥିଲା ବେଳେ ରଘୁନାଥପୁର ପୁରଣ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରନର୍ସ ଅପ ହୋଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆସନ୍ତା ରାଜ୍ୟ ମୁଖ୍ୟ ମନ୍ତ୍ରୀ ଫୁଟବଲ ଟ୍ରଫିକୁ ବାଳିକା ବିଭାଗରେ ରଘୁନାଥପୁର ବ୍ଲକର ଦେବୀ ପ୍ରିୟା ବେହେରା, ଗୌରୀକୁଶମ ନାୟକ, ଅର୍ଚ୍ଚିତା ଷଡ଼ଙ୍ଗୀ, ସୁନୀତା ପ୍ରିୟଦର୍ଶିନୀ ସେଠୀ, ସୂଚିସ୍ନେହା ଭୋଇ, ସବନମ ପରଭିନ, ପ୍ରିୟଙ୍କା ଭୋଇ ପ୍ରମୁଖ ମନୋନୀତ ହୋଇଥିଲା ବେଳେ ବାଳକ ବିଭାଗରେ ଏମ୍ ସିଂ, ଚନ୍ଦ୍ର ସିଂ, ଦେବାଶିଷ ମହାନ୍ତି, ସୁବ୍ରତ ପରିଡ଼ା,ପ୍ରଭାକର ଦାସ, ନଜିବୁଲ ହକ୍ ଏବଂ ମହମ୍ମଦ ସମୀର ମନୋନୀତ ହୋଇଛନ୍ତି।
