-ସେଟେଲମେଣ୍ଟ ଦଲିଲ ଆଧାରିତ ମ୍ୟୁଟେସନ ମାମଲାର ତ୍ୱରିତ ସମାଧାନ: ୪୯ ଆବେଦନକାରୀଙ୍କୁ ଜମି ପଟ୍ଟା ବଣ୍ଟନ
ଦେବଗଡ଼, ରିଆମାଳ:
ରିଆମାଳ ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ତହସିଲଦାର ବିଜୟଲକ୍ଷ୍ମୀ ନାୟକଙ୍କ ତତ୍ତ୍ୱାବଧାନରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଓ ଡେପୁଟି କଲେକ୍ଟର (ରାଜସ୍ୱ) ଲକ୍ଷ୍ମଣ ଅମାତ ଏବଂ ଅତିରିକ୍ତ ତହସିଲଦାର ପ୍ରେମ ପ୍ରକାଶ ହୋର ବରୋଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।
ଓଡ଼ିଶା ସର୍ଭେ ଓ ସେଟେଲମେଣ୍ଟ ନିୟମ, ୧୯୬୨ରେ ସଂଶୋଧନ କରି ନୂତନ ଅଧ୍ୟାୟ ୩୪ (ଜି) ଯୋଡ଼ାଯାଇଥିବା ପରେ, ପ୍ରି-ସେଟେଲମେଣ୍ଟ ବିକ୍ରୟ ଦଲିଲ ଆଧାରିତ ମ୍ୟୁଟେସନ ମାମଲାର ସମାଧାନ ପାଇଁ ତହସିଲଦାରମାନଙ୍କୁ ବିଶେଷ କ୍ଷମତା ପ୍ରଦାନ କରାଯାଇଛି।
ଏହି ସଂଶୋଧନ ପରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ବିଚାରାଧୀନ ଥିବା ୪୯ଟି ମାମଲାକୁ ରିଆମାଳ ତହସିଲଦାରଙ୍କ ନିକଟକୁ ହସ୍ତାନ୍ତର କରାଯାଇଥିଲା।
ତହସିଲ କାର୍ଯ୍ୟାଳୟର ସକ୍ରିୟ ପଦକ୍ଷେପ ଫଳରେ ସମସ୍ତ ୪୯ଟି ମାମଲାର ତ୍ୱରିତ ସମାଧାନ କରାଯାଇ, ଆବେଦନକାରୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି। ଦୀର୍ଘଦିନ ଧରି ଅପେକ୍ଷାରତ ଥିବା ଏହି ମାମଲାମାନଙ୍କର ସମାଧାନ ହେବାରୁ ଆବେଦନକାରୀମାନେ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି।
ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ରାଜସ୍ୱ ସମ୍ବନ୍ଧୀୟ ଦୀର୍ଘଦିନର ଅନୁତ୍ତରିତ ମାମଲାମାନଙ୍କର ତ୍ୱରିତ ନିରାକରଣ ସମ୍ଭବ ହୋଇପାରିଛି।
ଏହି କାର୍ଯ୍ୟକ୍ରମରେ ରିଆମାଳ ତହସିଲ କାର୍ଯ୍ୟାଳୟର ଆର୍.ଆଇ. ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
