ସଂକଟରେ ବେଣାଚେର କାରିଗର । ଦୁର୍ବିସହ ସେମାନଙ୍କ ଜୀବନ ଜୀବିକା । ବରଗଡ :୦୨/୦୫(ନି, ପ୍ର )(ଯୋଗେନ୍ଦ୍ର ସାହୁ )ଦଶନ୍ଧ ଦଶନ୍ଧି ଧର ପାରମ୍ପରୀକ ହସ୍ତଶିଳ୍ପକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ଏହି କାରିଗରଙ୍କୁ ମିଳୁନି ସରକାରୀ କୁଶଳି ଶ୍ରମିକ କିମ୍ବା ହସ୍ତଶିଳ୍ପ କାରିଗର ପରିଚୟ । ନା ଅଛି ବଜାର ବ୍ୟବସ୍ଥା । ନାଁ ମିଳୁଛି ସରକାରୀ ସୁବିଧା କିମ୍ବା ସରକାରୀ ସହାୟତା । ଆଧୁନିକ ଯୁଗରେ ବି ନଦୀ, ନାଳାରୁ ଅକ୍ଲାନ୍ତ ପରିଶ୍ରମ କରି ବେଣାଚେର କଞ୍ଚାମାାଳ ସଂଗ୍ରହ କରି ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରି ବହୁ କଷ୍ଟରେ ସେମାନଙ୍କ ପରିବାର ପୋଷଣ କରୁଛନ୍ତି । ଗ୍ରୀଷ୍ମ ଋତୁରେ ଆସିଲେ ଏହି ହସ୍ତଶିଳ୍ପ କାରିଗରମାନେ ବେଣାଚେରରେ କୁଲର ଫ୍ରେମ, ଝରକା ପରଦା, ହାତ ପଙ୍ଖା, ପଟି ଭଳି ଭଳିକି ଭଳି ସାମଗ୍ରୀ ତିଆରି କରି ବଜାରରେ ବିକ୍ରି ଦୁଇ ପଇସା ରୋଜଗାର କରିଥାନ୍ତି । ୫୦ବର୍ଷରୁ ଅଧିକ ସମୟ ଧରି ବରଗଡ଼ ସଦର ବ୍ଲକ ନୀଳେଶ୍ବର ଗାଁର ବହୁ କାରିଗରମାନେ ବର୍ଷକୁ ଛଅ ମାସ ଧରି ଏହି ପାରମ୍ପରୀକ ହସ୍ତଶିଳ୍ପ କାମ କରିଥାନ୍ତି । ବରଗଡ଼ରୁ ଏହି ହସ୍ତଶିଳ୍ପ ସାମଗ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ବିକ୍ରି ପାଇଁ ପଠାଯାଉଛି । ଗୋଟିଏ ପରେ ଗୋଟିଏ ସରକାର ଆସିଛନ୍ତି । ଆଉ ସରକାର ବି ବଦଳିଛନ୍ତି । କିନ୍ତୁ ନୀଳେଶ୍ବର ଗାଁର ଏହି ଅବହେଳିତ ଦୁର୍ବିସହ ଜୀବନ ବିତାଉଥିବା ବେଣାଚେର କାରିଗରଙ୍କ ପ୍ରତି ପ୍ରଶାସନ କିମ୍ବା ସରକାରଙ୍କ ଦୃଷ୍ଟି ପଡ଼ିନାହିଁ । ଆଉ ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ଏହି ପାରମ୍ପରୀକ ବ୍ୟବସାୟ ବୁଡ଼ିବାକୁ ବସିଲାଣି ।
