ପ୍ରବଳ ବର୍ଷା ଓ ବଜ୍ରପାତ ଆଶଙ୍କା: ୨୪ ଯାଏଁ ଗଞ୍ଜାମରେ ସମସ୍ତ ସ୍କୁଲ୍ ବନ୍ଦ
ଛତ୍ରପୁର, ୨୨/୯: ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା, ଝଡ଼ବର୍ଷା ଓ ବଜ୍ରପାତର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଆଜିଠାରୁ ସେପ୍ଟେମ୍ବର ୨୪ ଯାଏଁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ଏନେଇ ଗଞ୍ଜାମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
ପରିଚାଳନା ବ୍ୟବସ୍ଥା ନିର୍ବିଶେଷରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସମସ୍ତ ବିଦ୍ୟାଳୟ ଏହି ନିର୍ଦ୍ଦେଶ ଅଧୀନରେ ରହିବ। ତେବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ପୂର୍ବପରି ବିଦ୍ୟାଳୟରେ ଉପସ୍ଥିତ ହୋଇ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରିବେ। ଆବଶ୍ୟକ ପଡ଼ିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସେମାନଙ୍କ ସେବା ନିୟୋଜିତ କରାଯାଇପାରିବ।
ସେହିପରି ବୋର୍ଡ କିମ୍ବା ପରିଷଦ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସମସ୍ତ ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ।
ଅନ୍ୟପକ୍ଷରେ, ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜିଠାରୁ ସେପ୍ଟେମ୍ବର ୨୪ ଯାଏଁ ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ ବୋଲି ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
