*ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ
*ଦେଶର ଜାଗ୍ରତ ପ୍ରହରିଙ୍କୁ ସମ୍ମାନ ଜଣାଇଲା ପ୍ରଶାସନ
ବୌଦ୍ଧ:- ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି ବୌଦ୍ଧଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ବିଧାୟକ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ସବୁଜ ପତାକା ଦେଖାଇ ବାଇକ ରାଲିର ଶୁଭ ଉଦଘାଟନ କରିଥିଲେ l ଭାରତୀୟ ସେନାର ଅଦମ୍ୟ ସାହସକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରାକ୍ରମ ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ ପ୍ରଶାସନିକ ଅଧିକାରୀ, କର୍ମଚାରୀ, ପୋଲିସ ବାହିନୀ, ଏନସିସି କ୍ୟାଡେ଼ଟ, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ, ମହିଳା, ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡ଼ାବିତ, ସମସ୍ତ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ବୌଦ୍ଧ ସହରର ବହୁ ବୁଦ୍ଧିଜୀବି ସାମିଲ ହୋଇଥିଲେ l ଜାମ୍ମୁ କାଶ୍ମୀରର ପହେଲଗାମଠାରେ ହୋଇଥିବା ଆତଙ୍କବାଦୀ ଘଟଣା ପ୍ରତିବଦଳରେ ଅପରେସନ ସିନ୍ଦୁରର ସଫଳତା, ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଜାଗ୍ରତ ପ୍ରହରୀଙ୍କୁ ସମ୍ମାନ ଜଣାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇଥିବା ପରାକ୍ରମ ରାଲି ସହର ପରିକ୍ରମା କରି ଜିଲ୍ଲା ସଂଗ୍ରହାଳୟଠାରେ ପହଞ୍ଚିଥିଲା l ସେଠାରେ ବୀର ଯବାନ ତଥା ମାଟି ମାଆଙ୍କୁ ସମ୍ମାନ ଜଣାଇବା ପୂର୍ବଙ୍କ ସ୍ଲୋଗାନ ଦିଆଯାଇଥିଲା l
ଉକ୍ତ ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାଏ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବାଇକ ରାଲିରେ ମଧ୍ଯ ଅଂଶଗ୍ରହଣ କରିଥିଲେ l କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ଼ଃ. ପ୍ରବୀର କୁମାର ଦାଶ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିଲେ l ଶୋଭାଯାତ୍ରାରେ ପୋଲିସ ଗାଡି ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷାରେ ନିୟୋଜିତ ହୋଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦେଶାତ୍ମବୋକ ସଂଗୀତ ପରିବେଷଣ, ମେଡିକାଲର ଆମ୍ବୁଲାନ୍ସ ଗାଡି, ଅଗ୍ନିଶମ ଗାଡି ସମସ୍ତ ପ୍ରସ୍ତୁତି ସହ ଶୋଭାଯାତ୍ରାରେ ସାମିଲ ଥିଲେ l
ମହାନଦୀ ଆଳତୀ ଘାଟଠାରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ଯୋଗ ପରିବାର ଏବଂ ବ୍ରାହ୍ମଣ ସମାଜ ପକ୍ଷରୁ ଘଣ୍ଟ, ହୁଳହୁଳି ଦେଇ ବାଇକ ଶୋଭାଯାତ୍ରାକୁ ସ୍ୱାଗତ କରାଯାଇଥିଲା l ବଜରଙ୍ଗ ଦଳ, ତ୍ରିରଙ୍ଗା ଶୋଭାଯାତ୍ରା କମିଟି ଏବଂ ବିଭିନ୍ନ କମିଟି ପକ୍ଷରୁ ଶତାଧିକ ସଦସ୍ୟ, ବହୁ ଗଣମାଧ୍ୟମ ପ୍ରତିନିଧି ଏହି ରାଲିରେ ଯୋଗ ଦେଇଥିଲେ l ବୌଦ୍ଧର ସମସ୍ତ ଛକମାନଙ୍କରେ ବହୁ ଜନସାଧାରଣ ଉପସ୍ଥିତ ରହି ଉତ୍ସାହ ବୃଦ୍ଧି କରିଥିଲେ l ଏଥିସହ ବହୁ ସଂଖ୍ୟାରେ ଜନସାଧାରଣ ଉତ୍ସାହିତ ହୋଇ ହାତରେ ତ୍ରିରଙ୍ଗା ଧରି ଶୋଭାଯାତ୍ରରେ ସାମିଲ ହୋଇଥିଲେ l ସମସ୍ତଙ୍କ ସହଯୋଗରେ ବାଇକ ଶୋଭାଯାତ୍ରା ସଫଳ ହୋଇଥିଲା l
