*ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ବ୍ୟାପକ ସବୁଜିମା ଅଭିଯାନ*
~ ୪ ବର୍ଷରେ ରୋପଣ କରାଯିବ ପ୍ରାୟ ୬ ଲକ୍ଷ ଚାରା
~ ଶିଳ୍ପାୟନ ଓ ବୃକ୍ଷ ରୋପଣ ସହିତ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ଯୋଜନା
~ ବାର୍ଷିକ ଉତ୍ପାଦନ କ୍ଷମତା ୧ ରୁ ୪.୮ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ ୭୫% ଅକ୍ଷୟ ଶକ୍ତି ବ୍ୟବହାରର ଲକ୍ଷ୍ୟ
ଯାଜପୁର କଳିଙ୍ଗନଗର, ଭଞ୍ଜଦୁତ ବ୍ୟୁର ଏପ୍ରିଲ ୨୭ : ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) ନିଜର ଭବିଷ୍ୟତ ଅଭିବୃଦ୍ଧି ପାଇଁ ପରିବେଶ ସନ୍ତୁଳନ ଓ ଦୀର୍ଘସ୍ଥାୟୀ ବିକାଶକୁ ପ୍ରାଥମିକତା ଦେଇଛି। ଏହି କ୍ରମରେ ରାଜ୍ୟର ଅନ୍ୟତମ ପ୍ରମୁଖ ଶିଳ୍ପାଞ୍ଚଳ କଳିଙ୍ଗନଗରରେ ବୃହତ୍ତମ ସବୁଜିମା ଅଭିଯାନ ଆରମ୍ଭ ହେଉଛି। ଏହି ଅଭିଯାନରେ ଆଗାମୀ ୪ ବର୍ଷ ମଧ୍ୟରେ ୬ ଲକ୍ଷ ଚାରା ରୋପଣ କରିବାକୁ କମ୍ପାନୀ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଧୂଳି ଓ ଶବ୍ଦ ପ୍ରଦୂଷଣରୁ ବାରଗାଡ଼ିଆ, ଡୁବୁରୀ ଏବଂ ନିକଟସ୍ଥ ଗ୍ରାମଗୁଡ଼ିକୁ ରକ୍ଷା କରିବା ପାଇଁ ଏହି ବନୀକରଣ ଏକ ବୈଜ୍ଞାନିକ ପ୍ରତିବନ୍ଧକ (ବଫର୍) ଭାବେ କାର୍ଯ୍ୟ କରିବ। ଏହି ପଦକ୍ଷେପ ଜୈବ ବିବିଧତାକୁ ସୁଦୃଢ଼ କରିବା ସହ ବାୟୁର ଗୁଣବତ୍ତା ବୃଦ୍ଧି ଏବଂ ଅଙ୍ଗାରକାମ୍ଳ ହ୍ରାସ କରିବାରେ ସହାୟକ ହେବ। ଏହି ପରିବେଶ ପ୍ରତିବଦ୍ଧତାକୁ ଆଧାର କରି ଏନଆଇଏନଏଲ୍ ନିଜର ବାର୍ଷିକ କ୍ରୁଡ୍ ଷ୍ଟିଲ୍ ଉତ୍ପାଦନ କ୍ଷମତାକୁ ୧ ରୁ ୪.୮ ନିୟୁତ ଟନକୁ ବୃଦ୍ଧି କରିବାକୁ ଯୋଜନା କରିଛି। ପରିବେଶ ସୁରକ୍ଷା ରୋଡମ୍ୟାପ୍ ଅନୁଯାୟୀ, କମ୍ପାନୀ ୪୫୫ ହେକ୍ଟର ପରିମିତ ଅଞ୍ଚଳରେ ସବୁଜ ବଳୟର ରକ୍ଷଣାବେକ୍ଷଣ କରିବ, ଯେଉଁଥିରୁ ୧୦୫ ହେକ୍ଟର କେବଳ ଗୋଡିଗୋଠ ଅଞ୍ଚଳରେ ରହିଛି। ସରକାରୀ ନିୟମ ଅନୁଯାୟୀ ୨୫% ସବୁଜ ବଳୟ ରଖିବା ବାଧ୍ୟତାମୂଳକ ଥିବାବେଳେ, ଏନଆଇଏନଏଲ୍ ପ୍ଲାଣ୍ଟରେ ବର୍ତ୍ତମାନ ସୁଦ୍ଧା ୪୨.୬% ଅଞ୍ଚଳରେ ସବୁଜିମା ରହିଛି। ଏହା ବ୍ୟତୀତ ପ୍ରଦୂଷଣ ରୋକିବା ପାଇଁ ପ୍ଲାଣ୍ଟ ସୀମାରେ ଏକ ଧାତବ ‘ୱିଣ୍ଡ୍-ସ୍କ୍ରିନ୍ ବ୍ୟାରିୟର’ ସ୍ଥାପନ କରାଯିବ। ସିଣ୍ଟର ପ୍ଲାଣ୍ଟ ଏବଂ ବ୍ଲାଷ୍ଟ ଫର୍ଣ୍ଣେସ୍ ଭଳି ପ୍ରମୁଖ ଉତ୍ପାଦନ ୟୁନିଟଗୁଡ଼ିକରେ ଉନ୍ନତ ମାନର ବ୍ୟାଗ୍ ଫିଲ୍ଟର ଏବଂ ଇଲେକ୍ଟ୍ରୋଷ୍ଟାଟିକ୍ ପ୍ରେସିପିଟେଟର (ଇଏସପି) ଭଳି ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଲଗାଯିବ।
ଜଳ ପ୍ରଦୂଷଣ ରୋକିବା ପାଇଁ ଏନଆଇଏନଏଲ୍ ‘ଜିରୋ ଏଫ୍ଲୁଏଣ୍ଟ୍ ଡିସଚାର୍ଜ’ (ଜେଡଇଡି) ନୀତି ଆପଣାଇଛି। ଏଥିପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଏଫ୍ଲୁଏଣ୍ଟ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଇଟିପି) ଏବଂ ସ୍ୱେରେଜ୍ ଟ୍ରିଟମେଣ୍ଟ ସିଷ୍ଟମ୍ କାର୍ଯ୍ୟକାରୀ ହେବ। ଏହି ‘କ୍ଲୋଜଡ୍-ଲୁପ୍’ ବ୍ୟବସ୍ଥା ଦ୍ୱାରା ପ୍ଲାଣ୍ଟର ସମସ୍ତ ବ୍ୟବହୃତ ଜଳକୁ ବିଶୋଧନ କରାଯାଇ ପୁନଃ ବ୍ୟବହାର କରାଯିବ ଏବଂ ବାହ୍ୟ ଜଳଉତ୍ସକୁ କୌଣସି ଦୂଷିତ ଜଳ ନିଷ୍କାସିତ ହେବ ନାହିଁ।
ଡିକାର୍ବୋନାଇଜେସନ (କାର୍ବନ ନିର୍ଗମନ ହ୍ରାସ) ଉପରେ ଗୁରୁତ୍ୱ ଦେଇ କମ୍ପାନୀ ସୌର ଓ ପବନ ଶକ୍ତି ଭଳି ଅକ୍ଷୟ ଶକ୍ତି ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ଏଥି ସହିତ ବ୍ଲାଷ୍ଟ ଫର୍ଣ୍ଣେସରେ ଅତ୍ୟାଧୁନିକ ‘ପଲଭରାଇଜଡ୍ କୋଲ ଇଞ୍ଜେକସନ’ ଏବଂ ଶକ୍ତି ସଞ୍ଚୟକାରୀ ‘ହଟ୍ ଷ୍ଟୋଭ୍’ ବ୍ୟବହାର କରାଯିବ। ପରିବହନ କ୍ଷେତ୍ରରେ ମଧ୍ୟ ଡିଜେଲ ଗାଡ଼ି ପରିବର୍ତ୍ତେ ଇଲେକ୍ଟ୍ରିକ୍ କିମ୍ବା ହାଇଡ୍ରୋଜେନ-ଚାଳିତ ଟ୍ରକ୍ ବ୍ୟବହାର କରିବାକୁ ଯୋଜନା ରହିଛି। ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ୧୦୦% ରିସାଇକ୍ଲିଂ କିମ୍ବା ପୁନଃ ବ୍ୟବହାର ଲକ୍ଷ୍ୟ ରଖାଯାଇଛି। ନିକଟସ୍ଥ କବତୀ ନାଳର ପ୍ରାକୃତିକ ପ୍ରବାହକୁ ସୁରକ୍ଷିତ ରଖିବା ପାଇଁ ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ ଉନ୍ନତ କରାଯିବ।
କେନ୍ଦ୍ର ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ଏନଆଇଏନଏଲ୍ ଶିଳ୍ପ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ଏକ ନୂଆ ସମନ୍ୱୟ ସ୍ଥାପନ କରୁଛି। ସୂଚନାଯୋଗ୍ୟ ଯେ, ଟାଟା ଷ୍ଟିଲ୍ କଳିଙ୍ଗନଗର ମଧ୍ୟ ଏହାର କାର୍ଯ୍ୟାରମ୍ଭ ଦିନଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭ ଲକ୍ଷ ବୃକ୍ଷରୋପଣ କରିସାରିଛି।
