ମଙ୍ଗଳପୁର ବସ୍ ଷ୍ଟାଣ୍ଡ କୁ ଯାଉ ନାହିଁ ବସ୍
ତା-୨୦/୦୪/୨୬
ଦଶରଥପୁର
ରିପୋର୍ଟର- ମାନସ କୁମାର ସାହୁ
ପୂର୍ବ ସରକାରଙ୍କ ଅଧପନ୍ତରିଆ ପ୍ରକଳ୍ପକୁ ବର୍ତ୍ତମାନ ସରକାର ଗୋଟିଏ ପରେ ଗୋଟିଏ ପୂର୍ଣ୍ଣାଙ୍ଗ କରୁଥିବା ନଜରକୁ ଆସୁଛି. ମାତ୍ର ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇ ଉଦ୍ଘାଟନ ହେବାର ତିନି ମାସ ବିତିଥିଲେ ମଧ୍ୟ ଏହା କୁ କାର୍ଯ୍ୟକାରୀ କରାଯାଉ ନାହିଁ. ସୂଚ଼ନା ଅନୁସାରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦଶରଥପୁର ବ୍ଲକ ମଙ୍ଗଳପୁର ବଜାରେ ନୂତନ ବସ୍ ଷ୍ଟାଣ୍ଡ ଗତ ଜାନୁଆରୀ ମାସ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫେରେନ୍ସ ମାଧ୍ୟମରେ ଉଦ୍ଘାଟନ କରିଥିଲେ. ଉଦ୍ଘାଟନ କୁ ତିନି ମାସ ପୁରିଲାଣି ହେଲେ ଏଯାଏଁ କୌଣସି ଘରୋଇ ବସ୍ ଷ୍ଟାଣ୍ତ ଭିତରକୁ ଯାଉ ନାହାନ୍ତି. ବସ୍ ଷ୍ଟାଣ୍ଡକୁ କୌଣସି ବସ୍ ଆସୁନଥିବା ବେଳେ ଷ୍ଟାଣ୍ଡ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ତାଙ୍କର ଦରମା ବି ମିଳି ପାରୁ ନାହିଁ. ଦଶରଥପୁର ବ୍ଲକ ଅଞ୍ଚଳରୁ ପ୍ରତ୍ୟେକ ଦିନ ପ୍ରାୟ ୧୫ ରୁ ଅଧିକ ବସ୍ କଟକ, ଭୁବନେଶ୍ୱର, କେନ୍ଦୁଝର, ରାଉରକେଲା, କଲିକତା, ଭଦ୍ରକ, ବାଲେଶ୍ଵର, ଆଦି ସ୍ଥାନକୁ ଯାତାୟାତ କରିଥାଏ. ମାତ୍ର ସ୍ଥାୟୀ ବସ୍ ଷ୍ଟାଣ୍ଡକୁ ଏଯାଏଁ କୌଣସି ବସ୍ ପ୍ରବେଶ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ. ନୂତନ ବସ୍ ଷ୍ଟାଣ୍ଡରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ପ୍ରତ୍ୟେକ ଦିନ କାର୍ଯ୍ୟ କରିଥିଲେ ମଧ୍ୟ ସେମାନଙ୍କୁ ଦରମା ତିନି ମାସ ହେଲା ମିଳି ନାହିଁ ବୋଲି ଅଭିଯୋଗ କରିଛନ୍ତି. ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି.
