ସିନାପାଲିରେ ଧୁମଧାମରେ ରାବଣ ପୂଜା, ରାବଣଙ୍କ ଗୁଣଗାନ କଲେ କମିଟି ସଦସ୍ୟ
ସିନାପାଲି, ୨୧/୧୦ (ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର): ନୂଆପଡ଼ା ଜିଲ୍ଲା ସିନାପାଲି ସଦରଠାରେ ରାବଣ ପୂଜା କମିଟି ପକ୍ଷରୁ ପାରମ୍ପରିକ ରୀତିନୀତି ଓ ଉତ୍ସାହର ସହ ରାବଣ ପୂଜା ଆୟୋଜିତ ହୋଇଛି। ଏହି ଅବସରରେ ମହାରାଜ ରାବଣଙ୍କ ଜ୍ଞାନ, ବୀରତ୍ୱ, ଶାସନ ଦକ୍ଷତା ଓ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ କମିଟି ସଦସ୍ୟମାନେ ମତବ୍ୟକ୍ତ କରିଥିଲେ।
କମିଟି ସଦସ୍ୟଙ୍କ ମତରେ, ରାବଣ କେବଳ ରାମାୟଣର ଏକ ପ୍ରମୁଖ ଚରିତ୍ର ନୁହନ୍ତି, ବରଂ ସେ ଜଣେ ବିଦ୍ୱାନ, ପରାକ୍ରମୀ ଓ ଦକ୍ଷ ଶାସକ ଭାବେ ମଧ୍ୟ ପରିଚିତ। ତାଙ୍କ ଜୀବନ ଓ ଶାସନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ଭିନ୍ନ ଦୃଷ୍ଟିକୋଣରୁ ଅଧ୍ୟୟନ କରିବା ଆବଶ୍ୟକ ବୋଲି ସେମାନେ ମତ ରଖିଥିଲେ।ପୌରାଣିକ ଚରିତ୍ରଗୁଡ଼ିକର ମୂଲ୍ୟାୟନ କରିବାବେଳେ ସେମାନଙ୍କ ଜୀବନର ସମସ୍ତ ଦିଗ ଉପରେ ନିରପେକ୍ଷ ଆଲୋଚନା ହେବା ଉଚିତ ବୋଲି କମିଟି ପକ୍ଷରୁ କୁହାଯାଇଥିଲା। ରାବଣଙ୍କ ଚରିତ୍ର ସହ ଜଡ଼ିତ ବିଭିନ୍ନ ପୌରାଣିକ ପ୍ରସଙ୍ଗ ଉଲ୍ଲେଖ କରି ସଦସ୍ୟମାନେ ତାଙ୍କର ଜ୍ଞାନ ଓ ଶାସନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଦୀର୍ଘବର୍ଷ ଧରି ଆୟୋଜିତ ହୋଇଆସୁଥିବା ଏହି ପୂଜା ମାଧ୍ୟମରେ ରାବଣଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗକୁ ସମାଜ ସମ୍ମୁଖରେ ଉପସ୍ଥାପନ କରିବା ସହ ନିଜସ୍ୱ ପରମ୍ପରା ଓ ବିଚାରଧାରାକୁ ଆଗକୁ ନେବା କମିଟିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଦସ୍ୟମାନେ କହିଥିଲେ। କାର୍ଯ୍ୟକ୍ରମରେ କମିଟି ସଦସ୍ୟ ରାହୁଲ ତାଣ୍ଡି, ସମୀର ମହାନନ୍ଦ, ଲିଲୁ ମହାନନ୍ଦ, ଦିଗାମ୍ବର ମହାନନ୍ଦ, ପ୍ରିନ୍ସ ଜଗତ, ମନୀଷ ବାଗ, ଶିବା ନାଗ, ଚୈବନ ବାଗ ଓ ଭୋଳାନାଥ ବାଗଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
ସିନାପାଲିରେ ରାବଣ ପୂଜା ଏକ ଭିନ୍ନ ପରମ୍ପରା ଭାବେ ପରିଚିତ ହୋଇଥିବାବେଳେ ପ୍ରତିବର୍ଷ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଥାଏ।
