*ଭୀମ ଭୋଇ ମହାବିଦ୍ୟାଳୟରେ ବୃତ୍ତିଗତ ସଚେତନତା କାର୍ଯ୍ୟକ୍ରମ*
ରେଢାଖୋଲ- (ଭଂଜଦୂତ )ତା . ୧୮ /୦୪ , ଆଜି ସ୍ଥାନୀୟ ଭୀମ ଭୋଇ ମହାବିଦ୍ୟାଳୟର କ୍ୟାରିୟର କାଉନ୍ସେଲିଂ ସେଲ ଆନୁକୂଲ୍ୟରେ ଏକ ବୃତ୍ତିଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ରେଢାଖୋଲ ଉପ-ଜିଲ୍ଲାପାଳ ଶ୍ରୀ ରଶ୍ମି ରଞ୍ଜନ ମହାନ୍ତ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ସେ ଛାତ୍ରଛାତ୍ରୀମାନଂକ ସହ ପ୍ରତ୍ୟକ୍ଷ ଭାବରେ ଆଲୋଚନା କରି ବୃତ୍ତି ଚୟନ କ୍ଷେତ୍ରରେ ଥିବା ନୂଆ ନୂଆ ସୁଯୋଗ, ବିଭିନ୍ନ ଦ୍ଵନ୍ଦ୍ଵ , ସେମାନେ ସମ୍ମୁଖୀନ ହେଉଥିବା ସମସ୍ଯାଗୁଡ଼ିକର ସମାଧାନ ବାବଦରେ ବିଶେଷ ଦୃଷ୍ଟିପାତ କରିଥିଲେ । ଏହା ସହିତ ସେ ମୁଖ୍ୟତଃ ପ୍ରଶାସନିକ ସେବାରେ ପ୍ରବେଶ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ପ୍ରକ୍ରିୟା ବାବଦରେ ବିଶଦ ଭାବରେ ଆଲୋଚନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୃଷ୍ଣ ପାଢୀ ଅଧ୍ୟକ୍ଷତା କରି ଛାତ୍ର ଛାତ୍ରୀମାନଙ୍କୁ ଜୀବନରେ ବୃତ୍ତି ଓ ବ୍ରତ ପ୍ରତି ନିଷ୍ଠାବାନ ହେବାକୁ ପରାମର୍ଶ ଦେଇଥିଲେ । କ୍ୟାରିୟର କାଉନ୍ସେଲିଂ ସେଲର ସଂଯୋଜକ ଡ଼. ମନୋରଂଜନ ମହନ୍ତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କଲେଜର ପ୍ରଶାସନିକ ପ୍ରଭାରୀ ପ୍ରାଧ୍ୟାପକ ଅରୁଣ କୁମାର ଶାସନୀ “ ଶୃଙ୍ଖଳା ହିଁ ସଫଳତାର ଚାବିକାଠି” ବୋଲି ଉଲ୍ଲେଖ କରିଥିଲେ । ଅଧ୍ୟାପକ ଅଞ୍ଜନ କୁମାର ମିଶ୍ର କାର୍ଯ୍ୟକ୍ରମର ପ୍ରସ୍ତୁତି ଏବଂ ପରିଚାଳନା କରିଥିଲେ । ଏଥିରେ ଡ଼. ଦିବ୍ୟଲୋଚନ ରାଉତ, ଅଧ୍ୟାପିକା ନିରୂପମା ଦେହୁରୀ ଓ ମୋନାଲିସା ଦାଶଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ / ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।
