ଲିଙ୍ଗ ସମତା ଓ ସାମାଜିକ ବିପଦ ହ୍ରାସକୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଜିଲ୍ଲା ସ୍ତରୀୟ କର୍ମଶାଳା
ଦେବଗଡ଼ : ଲିଙ୍ଗ ସମତା ସହିତ ସାମାଜିକ ବିପଦ ହ୍ରାସକୁ ମୁଖ୍ୟ ସ୍ରୋତରେ ସମାନ୍ତରାଳ ଭାବେ ଅନ୍ତର୍ଭୁକ୍ତ କରିବା ଦିଗରେ ଦେବଗଡ଼ ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷିତରେ ଆଜି ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଥିଲା।
ଜରୁରୀକାଳୀନ ଅଧିକାରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଏବଂ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଲିଙ୍ଗ ଭିତ୍ତିକ ସମତା ଓ ବିପର୍ଯ୍ୟୟ ସମୟରେ ସମସ୍ତ ଶ୍ରେଣୀର ଲୋକଙ୍କ ସୁରକ୍ଷାକୁ କିପରି ମୁଖ୍ୟ ସ୍ରୋତରେ ଆଣାଯାଇପାରିବ, ସେଥିପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି କର୍ମଶାଳାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ଭୁବନେଶ୍ୱରରୁ ଆସିଥିବା ଜେଣ୍ଡର ସ୍ପେଶାଲିଷ୍ଟ ଅରଣ୍ୟକ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଜିଲ୍ଲା ସ୍ତରର ଅଧିକାରୀମାନଙ୍କୁ ଲିଙ୍ଗ ସମାନତାକୁ ଧ୍ୟାନରେ ରଖି ବିପର୍ଯ୍ୟୟ ବିପଦ ହ୍ରାସ (Disaster Risk Reduction) କାର୍ଯ୍ୟାନ୍ୱୟନରେ ଅନ୍ତର୍ଭୁକ୍ତିକରଣର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇଥିଲେ।
କର୍ମଶାଳାରେ ଡେପୁଟି କଲେକ୍ଟର ସୌମ୍ୟା ସୁଚିସ୍ମିତା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ କୁମାର ପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଡିପିଏମ୍ ଓଏଲେମ ଶିଶିର କୁମାର ଷଡ଼ଙ୍ଗୀ, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡି, ଓଡ଼୍ରାଫ୍ ଇନ୍ଚାର୍ଜ ମୋହନ କୁମାର ରାଉତ୍, ସିଓ ଅର୍ମାସ ରବୀନ୍ଦ୍ର କୁମାର ପ୍ରଧାନ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି କର୍ମଶାଳା ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନାରେ ଲିଙ୍ଗ ସମତାକୁ ସଠିକ୍ ଭାବରେ ସାମିଲ କରି ସମାଜର ସମସ୍ତ ଶ୍ରେଣୀକୁ ସୁରକ୍ଷିତ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତା ପ୍ରକାଶ ପାଇଛି।
