କେନ୍ଦୁପତ୍ର ତୋଳିବା ବେଳେ ବାର୍ହା ଆକ୍ରମଣ, ଦୁଇଜଣ ଗୁରୁତର
ଦେବଗଡ଼ : ଦେବଗଡ଼ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ପୁଣିଥରେ ବନ୍ୟପ୍ରାଣୀ ଆତଙ୍କ ମୁହାଁ ଦେଖାଇଛି। କେନ୍ଦୁପତ୍ର ସଂଗ୍ରହ ପାଇଁ ଜଙ୍ଗଲକୁ ପ୍ରବେଶ କରିଥିବା ଦୁଇଜଣ ଗ୍ରାମବାସୀ ବାର୍ହା ଆକ୍ରମଣରେ ଗୁରୁତର ଆହତ ହେବାର ଘଟଣା ଅଞ୍ଚଳରେ ଚିନ୍ତାର କାରଣ ହୋଇଉଠିଛି।
ଆହତ ଦୁଇଜଣ ହେଲେ ରିଆମାଳ ବ୍ଲକ ପଳସମା ପଞ୍ଚାୟତ ଅନ୍ତର୍ଗତ ଜୟନ୍ତପାଲି ଗାଁର ଟୁନୀ ଭୋଇ (୩୫) ଓ ମଦନମୋହନ ମାଝୀ (୪୨)। ସୂଚନା ଅନୁସାରେ, ସେମାନେ ନିଜ ଜୀବିକାର ନିମନ୍ତେ ପ୍ରତିଦିନର ଭଳି ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଜଣେ ବାର୍ହା ସେମାନଙ୍କ ଉପରେ ଆକ୍ରମଣ କରିଥିଲା, ଯାହାରେ ଉଭୟ ଗୁରୁତର ଭାବେ ଆହତ ହୋଇପଡ଼ିଥିଲେ।
ଆକ୍ରମଣ ପରେ ଆହତମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ସେମାନଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚୋଟ ଗମ୍ଭୀର ଥିବାରୁ ଡାକ୍ତରମାନେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଉଭୟଙ୍କର ଅବସ୍ଥା ଗୁରୁତର ଥିବାବେଳେ ଚିକିତ୍ସା ଚାଲିଛି।
ଏହି ଘଟଣା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ଛାଇଯାଇଛି। ବନ୍ୟପ୍ରାଣୀମାନେ ଜଙ୍ଗଲ ଛାଡ଼ି ଗ୍ରାମ ଅଞ୍ଚଳକୁ ବାରମ୍ବାର ପ୍ରବେଶ କରୁଥିବାରୁ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି ଓ ସୁରକ୍ଷା ନେଇ ଚିନ୍ତିତ ଅଟନ୍ତି।
ଘଟଣା ସମ୍ପର୍କରେ ସୂଚନା ପାଇ ଫରେଷ୍ଟର ହେମନ୍ତ ବାରିହା ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ, ପୀଡ଼ିତମାନଙ୍କୁ ସମସ୍ତ ପ୍ରକାରର ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ଏବଂ ଏପରି ଘଟଣା ପୁଣି ଘଟିନହେବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ।
