ଅନନ୍ତପୁରରେ ଗୋରୁ ବୋଝେଇ ବୋଲେରୋ ଜବତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ପୋଲିସ କୁ ଡରୁ ନାହାନ୍ତି ଗୋ ମାଫିଆ। କିଛି ଦିନ ତଳେ ସାରା ବାଲେଶ୍ୱର ଜିଲ୍ଲାର ଅନେକ ଜାଗାରେ ଗୋ ମାଫିଆଙ୍କ ଘରେ ପୋଲିସ ତରଫରୁ ଜୋରଦାର ଚଢ଼ାଉ ହୋଇଥିଲା। ମାତ୍ର ପୋଲିସ ଚଢ଼ାଉକୁ ଖାତିର କରୁ ନାହାନ୍ତି ଗୋ ମାଫିଆ। ଖାକୀ ପୋଷାକକୁ ଡର ନାହିଁ ଏହି ତଷ୍କରୀ ଦଳ । ଏଣୁ ରାତିରେ ବେଧଡକ ଗୋରୁ ଚାଲାଣ କରାଯାଉଛି। ଏମିତି ଏକ ଗୋରୁ ଚୋରି ଉଦ୍ୟମ କରୁଥିବା ବେଳେ ପୁଲିସ ଚଢ଼ଉ କରିବାରୁ ଗାଡ଼ି ଛାଡ଼ି ଚମ୍ପଟ ମାରିଛନ୍ତି ମାଫିଆ। ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ଅନନ୍ତପୁର ଥାନା ପାଖର ନିକଟ ଚନ୍ଦସାହିଠାରେ କିଛି ଯୁବକ ଏକ ବୋଲେରୋରେ ଗୋରୁ ଚୋରି ଉଦ୍ୟମ କରୁଥିଲେ । ଏହି ସମୟରେ କିଛି ଗୋସେବକ ଏ ବାବଦରେ ଜାଣିବାକୁ ପାଇ ସଦର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କୁ ଯୋଗାଯୋଗ କରିଥିଲେ। ଏସ୍ଡିପିଓ ଶ୍ରୀ ନାୟକଙ୍କ ନିର୍ଦେଶରେ ଅନନ୍ତପୁର ପୁଲିସ ଚଢ଼ଉ କରିବାରୁ ଗୋମାଫିଆମାନେ ଫେରାର ହୋଇଯାଇଥିଲେ । ସେମାନେ ଛାଡ଼ି ପଳାଇଥିବା ଓଆର-୧୮ଇ-୩୬୩ ୦୩୩ ନମ୍ବର ବିଶିଷ୍ଟ ଏକ ବୋଲେରୋ ଜବତ କରି ଥାନାରେ ରଖିଛି ପୁଲିସ।
