*ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ
*ଶ୍ରମିକମାନେ ଦେଶର ମେରୁଦଣ୍ଡ
ବୌଦ୍ଧ:- ବୌଦ୍ଧ ଟାଉନହଲଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଭାବରେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସୁଶାନ୍ତ କୁମାର ପାଇକରାୟ ଯୋଗ ପ୍ରମୁଖ ଦେଇଥିଲେ l ପ୍ରାରମ୍ଭରେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ କନ୍ଯା କୁମାରୀ ସାହୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଅଣ ସଂଗଠିତ ସାମାଜିକ ସୁରକ୍ଷା ଆଇନ, ପ୍ରବାସୀ ଶ୍ରମିକ ଆଇନ, ସର୍ବନିମ୍ନ ମଜୁରୀ ଆଇନ, ଶିଶୁ ଶ୍ରମିକ ନିରାକରଣ ଓ ନିଷେଧ ଆଇନ ଆଦି ସମ୍ପର୍କରେ ସୂଚନା ଦେଇଥିଲେ l ନିର୍ମାଣ ଶ୍ରମିକମାନଙ୍କ ଅଧିକାର, ଶ୍ରମିକମାନଙ୍କୁ ବିନ୍ଧାଣି, ବିଶ୍ଵକର୍ମା ବୋଲି ବର୍ଣ୍ଣନା କରିବା ସହ ସେମାନେ ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଆହ୍ୱାନ ଦେଇଥିଲେ l ନିର୍ମାଣ ଶ୍ରମିକ ମାନେ ଦେଶର ମେରୁଦଣ୍ଡ ଏବଂ ବିକଶିତ ଭାରତ, ବିକଶିତ ରାଷ୍ଟ୍ର ଗଠନରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଏବଂ ନିଜ କାମକୁ ସେମାନେ ସମ୍ମାନର ସହ କରନ୍ତୁ ବୋଲି ଅତିଥି ବୃନ୍ଦ ବକ୍ତବ୍ୟ ରଖିଥିଲେ l ମେଣ୍ଡିମାଲ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଉକ୍ତ ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୬୧ ଜଣ ହିତାଧିକାରୀମାନଙ୍କୁ ୭୭ ଲକ୍ଷ ୪୦ ହଜାର ଟଙ୍କା ସହାୟତାର ଡମି ଚେକ ପ୍ରଦାନ, ମୃତ୍ୟୁ କାଳୀନ ସହାୟତାରେ ୫୯ ଜଣଙ୍କୁ ୬୧ ଲକ୍ଷ ଏବଂ ୧୭ ଜଣ ଶ୍ରମିକଙ୍କୁ ପରିଚୟ ପତ୍ର ଅତିଥିମାନେ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ହିତାଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଆୟୋଜନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ବୌଦ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ସ୍ୱାଧୀନ କୁମାର ପରିଡା, ଜୁନିଅର ଆସିଷ୍ଟାଣ୍ଟ ସ୍ବାଗତ କୁମାର ସିହ୍ନା, ତଥ୍ୟ ନିକ୍ଷେପକ ଆର. ବିଜୟ କୁମାର ସିହ୍ନା ଓ ସୁଜାତା ମେଣ୍ଡିଲି ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ, ଶ୍ରମିକମାନେ ସହଯୋଗ କରିଥିଲେ l ଶ୍ରମିକମାନେ ଭଜନ ପରିବେଷଣ କରିଥିଲେ l
