
ଯୁବକଙ୍କୁ ଅତର୍କିତ ଛୁରାମାଡ଼
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବଡକୂଳ ଗ୍ରାମରେ ଜନୈକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ନିଜ ସ୍କୁଟି ଉପରେ ବସିଥିବା ସମୟରେ ହଠାତ ବାଇକରେ ଦୁଇଜଣ ଆସି ଅତର୍କିତ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ମାର୍ଶାଘାଇ ଥାନା ଅନ୍ତର୍ଗତ ବଡକୂଳ ଗ୍ରାମର ସ୍ବର୍ଗତ ଛଚିନ୍ଦ୍ର ଲେଙ୍କାଙ୍କ ଏକମାତ୍ର ପୁତ୍ର ରାଜକିଶୋର ଲେଙ୍କା ଓରଫ ରାଜା (୨୮ ବର୍ଷ) ମାଉଣ୍ଡଛକସ୍ଥିତ ସାଇମନ୍ଦିର ନିକଟରେ ନିଜ ସ୍କୁଟି (ଟିଭିଏସ୍ ଜୁପିଟର ନଂ-ଓଡି୨୧ କ୍ଯୁ ୮୨୯୩) ଉପରେ ଆଉଜି ଲୁଣାନଦୀରେ ନିର୍ମାଣଧୀନ ତୁଠକାମ ପାଇଁ ମନ୍ଦିର ପାଚେରୀ ଭିତରେ ହେଉଥିବା ରଡ୍ ବାଇଣ୍ଡିଂ କାମ ଦେଖୁଥିବା ସମୟରେ ଦହିମାଛ ଗ୍ରାମର ଶିଶିର ରାଉତଙ୍କ ପୁଅ ଦେବାଶିଷ ରାଉତ ଓରଫ ବାପି (୨୬ ବର୍ଷ) ନିଜ ଜେସିବି ଡ୍ରାଇଭର ମାନସ ସହ ଏକ ବାଇକ୍ ରେ ଆସି ହଠାତ୍ ପଛପଟୁ ଧରି ବେକକୁ ଛୁରିମାଡ କରିଥିଲେ। ରାଜା ସେଠାରୁ ନଦୀବନ୍ଧ ରାସ୍ତାରେ ପଞ୍ଚାୟତ କାର୍ଯ୍ୟାଳୟ ଆଡକୁ ଦୌଡି ପଳାଇ ଯିବାକୁ ଚେଷ୍ଟା କଲେ ମଧ୍ୟ ବାପି ତାଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିଲେ।ଛୁରି ମାଡରେ ଗୁରୁତର ହୋଇ ରାଜା ରକ୍ତାକ୍ତ ଅବସ୍ଥାରେ ପାଚେରୀ କଡରେ ଟଳିପଡିବା ପରେ ଉପସ୍ଥିତ ଲୋକଙ୍କୁ ଛୁରିର ଭୟ ଦେଖାଇ ମାନସ ପଛରେ ବାଇକ୍ ରେ ବସି ବାପି ମଙ୍ଗଳାଛକ ଦିଗରେ ଚାଲିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ରାଜାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ବଡ ମେଡିକାଲ ଓ ତା ପରେ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରାଯାଇଛି।ସମସ୍ତ ଅପରାଧୀ ଫେରାର ରହିଥିବା ବେଳେ ରାଜାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ୍ ସୂତ୍ରରୁ ଜଣାପଡିଛି। ଖବରପାଇ ମାର୍ଶାଘାଇ ଥାନାଧିକାରୀ ତପନ କୁମାର ନାୟକ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଘଟଣାସ୍ଥଳରୁ ରାଜାଙ୍କ ସ୍କୁଟି, ଚପଲ ଜବତ କରିବା ସହିତ ରକ୍ତନମୁନା ସଂଗ୍ରହ କରି ତଦନ୍ତ କରିବା ସହ ଅପରାଧିମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। ରାଜାଙ୍କ ମା ସଂଯୁକ୍ତା ଲେଙ୍କା ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାର୍ଶାଘାଇ ପୋଲିସ ଏକ କେସ (ନଂ ୧୩୦ /୨୫) ପଞ୍ଜିକୃତ କରି ତଦନ୍ତ ଚଳାଇଛି।ଗ୍ରାମରେ ଏପରି ଏକ ଭୟାବହ ଘଟଣା ଘଟିଥିବା ଜାଣି ଲୋକମାନେ ସ୍ତବ୍ଧ ହୋଇପଡିଥିବା ସହ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।