ମହିଳାଙ୍କୁ ଠକି ଯୁବକ ଗିରଫ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ ସତ୍ୟ। କିନ୍ତୁ କିଛି ବ୍ୟକ୍ତି ପ୍ରେମ କୁ ଖେଳଣା ଭାବି ଖେଳନ୍ତି ଓ ଧୋକା ମଧ୍ୟ ଦିଅନ୍ତି। ମହିଳାଙ୍କୁ ପ୍ରେମ କରି ଠକିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ। ଗିରଫ ଯୁବକ ହେଲେ ସୋର ଥାନା ମହୁମୁହାଣ ପଂଚାୟତ ଗୋବିନ୍ଦପୁର ଗ୍ରାମର ଦେବାଶିଷ ମଲିକ। ସୂଚନା ଅନୁସାରେ କିଛିମାସ ପୂର୍ବରୁ ବାଲେଶ୍ୱର ଜିଲା ସଦର ଥାନା ଖାନନଗର ଅଂଚଳର କବିତା ମଲିକଙ୍କ ସହ ଦେବାଶିଷଙ୍କ ସମ୍ପର୍କ ଗଢି ଉଠିଥିଲା। ଗତ ଜାନୁଆରୀ ମାସ ୨୧ ତାରିଖରେ କବିତା ଘରୁ ୫ ଲକ୍ଷର ଗହଣା ଓ ନଗଦ ଟଙ୍କା ନେଇ ଦେବାଶିଷଙ୍କ ପାଖକୁ ଆସିଥିବା ବେଳେ ସେମାନେ ସୋରର ଏକ ହୋଟେଲ ରେ ରହିଥିଲେ। ଦୁଇଦିନ ରହିବା ପରେ ଦେବାଶିଷ ତାଙ୍କୁ ଠକି ତାଙ୍କ ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପରେ କବିତା ଠକାମୀର ଶିକାର ହୋଇଥିବା ଜାଣିପାରି ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୯୧/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗତକାଲି ରାତିରେ ଦେବାଶିଷକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
