ନାଳୀରେ କୁଢ଼ କୁଢ଼ ଆବର୍ଜନା, ବର୍ଷାରେ ଘରକୁ ପୋଶୁଛି ପଚା ପାଣି: ପୌରପରିଷଦର ଅଣଦେଖାରେ ଅସୁବିଧାରେ ୱାର୍ଡବାସୀ
ଦେବଗଡ଼: ଜିଲ୍ଲାର ୯ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳବେର୍ଣ୍ଣି ସାହିରେ ପୌରପରିଷଦର ଅବହେଳା କାରଣରୁ ନାଳୀ ସମସ୍ୟା ଭୟାବହ ଆକାର ଧାରଣ କରିଛି। ନାଳୀରେ ଦୀର୍ଘଦିନ ଧରି କୁଢ଼ କୁଢ଼ ଆବର୍ଜନା ଜମି ରହିଥିବା ସତ୍ତ୍ୱେ ନିୟମିତ ସଫା ସୁଫାଇ ହେଉନଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ଗତ ୧ ମାସ ଧରି ନାଳୀରୁ ଆବର୍ଜନା କଢ଼ାଯାଇନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ନାଳୀ ଜାମ୍ ହୋଇଯାଉଛି। ଗତକାଲି ରାତିରେ ସାମାନ୍ୟ ବର୍ଷା ପରେ ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନା ଜମି ନାଳୀ ପୂରା ଅବରୋଧ ହୋଇଯାଇଥିଲା, ଯାହାର ପରିଣାମରେ ପଚା ଓ ଦୁର୍ଗନ୍ଧମୟ ପାଣି ଘରଭିତରକୁ ପ୍ରବେଶ କରିଥିଲା। ଏହା ସହିତ ରାସ୍ତା ମଝିରେ ମଧ୍ୟ ଆବର୍ଜନା ଭରିଯାଇ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରିଥିଲା।
ଏହି ପରିସ୍ଥିତିରେ ସ୍ଥାନୀୟ ବାସିନ୍ଦାମାନେ ଗୁରୁତର ସ୍ୱାସ୍ଥ୍ୟ ଜଟିଳତାର ଭୟରେ ରହୁଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଏହି ଅସ୍ୱଚ୍ଛ ପରିବେଶ ଯୋଗୁଁ ମ୍ୟାଲେରିଆ, ଡାଇରିଆ ପରି ରୋଗର ପ୍ରକୋପ ବଢ଼ୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପୌରପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ୯ ନମ୍ବର ୱାର୍ଡ ଦେଇ ଯାଇଥିବା ନାଳୀକୁ ଯଦି ଓଭରବ୍ରିଜ୍ ସମ୍ମୁଖରେ ଥିବା ପ୍ରମୁଖ ନାଳୀ ସହିତ ସଂଯୋଗ କରାଯାଏ, ତେବେ ଜଳଜମା ସମସ୍ୟାରୁ ବହୁ ଅଂଶରେ ମୁକ୍ତି ମିଳିପାରିବ। ଏହା ପାଇଁ ପ୍ରଶାସନ ଓ ପୌରପରିଷଦ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବୀ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଦେବଗଡ଼ ପୌରାଞ୍ଚଳରେ ୧୧ଟି ୱାର୍ଡ ଥିବା ସତ୍ତ୍ୱେ ସଫା ସୁତାର, ରାସ୍ତା ମରାମତି ଓ ଡ୍ରେନେଜ ବ୍ୟବସ୍ଥା ନେଇ ସମୟୋପଯୋଗୀ କାର୍ଯ୍ୟ ହେଉନଥିବାରୁ ସମସ୍ୟା ଦିନକୁ ଦିନ ଗମ୍ଭୀର ହେଉଛି। ଏହାପ୍ରତି ପ୍ରଶାସନ ସତର୍କ ହୋଇ ନିୟମିତ ନଜର ଦେବାକୁ ସ୍ଥାନୀୟ ଲୋକମାନେ ଜୋରଦାର ଦାବୀ କରୁଛନ୍ତି।
