ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ: ସୋର ବ୍ଲକ ର ଦୁଇଟି କଲେଜ୍ ରେ ତ୍ରୀମୁଖୀ ଲଢେଇ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ସାରା ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଉପେନ୍ଦ୍ରନାଥ (ୟୁ.ଏନ୍.) ମହାବିଦ୍ୟାଳୟ ଏବଂ ଅନନ୍ତପୁର ସ୍ଥିତ ସାରସ୍ୱତ ମହାବିଦ୍ୟାଳୟରେ ନିର୍ବାଚନ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ତଥା ରୋମାଞ୍ଚକର ହୋଇଥିଲା। ଚଳିତ ବର୍ଷର ଏହି ନିର୍ବାଚନରେ ବିଶେଷକରି ସଭାପତି ପଦ ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ବିଶେଷ କରି ଏହି ମହାବିଦ୍ୟାଳୟଗୁଡ଼ିକରେ ଏକ ଜୋରଦାର ତ୍ରିମୁଖୀ ଲଢ଼େଇ ହୋଇଥିଲା, ଯାହା ନିର୍ବାଚନୀ ମାହୋଲକୁ ଅଧିକ ସରଗରମ କରିଥିଲା। ବିଭିନ୍ନ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଛାତ୍ର ନେତାମାନେ କ୍ୟାମ୍ପସରେ ନିଜର ଦବ୍ଦବା ଏବଂ ଲୋକପ୍ରିୟତା ପ୍ରଦର୍ଶନ କରିଥିଲେ। ଦୀର୍ଘ ବର୍ଷ ପରେ ମହାବିଦ୍ୟାଳୟରେ ନିର୍ବାଚନ ହେଉଥିବାରୁ ଉଭୟ ପ୍ରାର୍ଥୀ ଓ ସାଧାରଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସୋର ୟୁ ଏନ୍ କଲେଜ୍ ର ସଭାପତି ପଦ ପାଇଁ ବିସିଜେଡି ପ୍ରାର୍ଥୀ କ୍ରିଷ୍ଣା କାନ୍ତ ମିଶ୍ର ନିଜର ନିକଟତମ ପ୍ରତିଦ୍ବନ୍ଦୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରାର୍ଥୀ ବିବେକାନନ୍ଦ ସିଂହ ଙ୍କୁ ୩୨୨ ଖଣ୍ଡ ଭୋଟ ରେ ହରାଇଥିବା ବେଳେ ଛାତ୍ର କଂଗ୍ରେସ ପ୍ରାର୍ଥୀ ଗୀତାରାଣୀ ସେଠି ୧୩୮ ଖଣ୍ଡ ଭୋଟ ପାଇଥିଲେ। ସୋର ୟୁ ଏନ୍ କଲେଜ୍ ର ଅନ୍ୟ ମୁଖ୍ୟ ପଦବୀରେ ବିଜୁ ଛାତ୍ର ଜନତା ଦଳ ର ପ୍ରାର୍ଥୀ ବିଜୟୀ ହୋଇଥିଲେ।
