ଝାରପୋଖରିଆ ଠାରେ ଦ୍ୱାଦଶତମ ଉତ୍ତର ଓଡ଼ିଶା ଉପାନ୍ତ ସାହିତ୍ୟ ସମ୍ମିଳନୀ
____________________
ତା୦୨/୦୪/୨୬(ନି.ପ୍ର): ସାରସକଣା(ଅନିଲ କୁମାର ସାହୁ): ପବିତ୍ର ଉତ୍କଳ ଦିବସ ଦିନ ଝାରପୋଖରିଆ ଠାରେ ଦ୍ୱାଦଶତମ ଉତ୍ତର ଓଡ଼ିଶା ଉପାନ୍ତ ସାହିତ୍ୟ ସମ୍ମିଳନୀ ପାଳନ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ତଥା ଅସ୍ମିତାର ଏହି ମହାକୁମ୍ଭ ରେ ଓଡ଼ିଶା, ଝାଡ଼ଖଣ୍ଡ ତଥା ପଶ୍ଚିମବଙ୍ଗରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ ଓ ନିମନ୍ତ୍ରିତ ଅତିଥି ଗଣ ମଧ୍ୟ ଏହି ମହାକୁମ୍ଭରେ ଅଂଶ ଗ୍ରହଣ କରିଥିଲେ । ଏହି ଉତ୍ତର ଓଡ଼ିଶା ଉପାନ୍ତ ସାହିତ୍ୟ ସଂସଦର ସଭାପତି ତଥା ସାରସକଣା ବିଧାୟକ ଭାଦବ ହାଁସଦା ଙ୍କ ତତ୍ବବଧାନ ରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଶ୍ରୀରାମ ଚନ୍ଦ୍ର ଭଞ୍ଜ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ, ମୁଖ୍ୟ ବକ୍ତା ବିଚ୍ଛିନ୍ନା ଅଞ୍ଚଳ ଝାରଖଣ୍ଡ ରାଜ୍ୟର ସାହିତ୍ୟିକ ତଥା ଭାଷାବିତ୍ ଡ.ବିନି ଷଡ଼ଙ୍ଗୀ,ସମ୍ମାନୀତ ଅତିଥି ଭାବରେ ବାରିପଦା ଶ୍ରୀମା ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରକାଶ ମହାପାତ୍ର, ସାରସକଣା ଗୋଷ୍ଠି ଉନ୍ନୟନ ଅଧିକାରୀ ସୁମନ ରାଜା ମହାନ୍ତି, ସୀମାନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରହଲ୍ଲାଦ ଅଗସ୍ତି ,ସାହିତ୍ୟିକ ଅର୍ଧେନ୍ଦୁ ପ୍ରହରାଜ, ସମାଜସେବୀ ଅଶୋକ କୁମାର ପୃଷ୍ଟି ପ୍ରମୁଖ ଏହି ସାହିତ୍ୟ ମହାକୁମ୍ଭରେ ଯୋଗ ଦେଇଥିଲେ । ସଭାପତି ଭାଦବ ହାଁସଦାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ନିହାର ରଞ୍ଜନ ମହାନ୍ତ ଅତିଥିଗଣଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ସାହିତ୍ୟ ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ତଥା ସାରସକଣା ନନ୍ଦିଘୋଷ ସଂସ୍କୃତିର ସଭାପତି ପଦ୍ମନାଭ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ ସମ୍ମିଳନୀର ବିବରଣୀ ପାଠ କରିଥିଲେ । ଏହା ପରେ ପ୍ରଦୀପ ପ୍ରଜ୍ବଳନ କରି ସାହିତ୍ୟିକ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା। ଏହି ଉପାନ୍ତ ସାହିତ୍ୟ ସମ୍ମିଳନୀର ଆୟୋଜକ କମିଟି ପକ୍ଷରୁ ସଭାରେ ଉପସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରାଯାଇଥିଲା । ତା’ପରେ ଉତ୍ତର ଓଡ଼ିଶା ଉପାନ୍ତ ସାହିତ୍ୟ ସମ୍ମିଳନୀ ପକ୍ଷରୁ ଦ୍ୱାଦଶ ତମ ପତ୍ରିକା ”ଉପାନ୍ତ ମହକ” ଉନ୍ମୋଚିତ ହୋଇଥିଲା । ଏହି ସାହିତ୍ୟ ସମ୍ମିଳନୀ ମହାକୁମ୍ଭରେ ବିଭିନ୍ନ ରାଜ୍ୟର ସାହିତ୍ୟିକ ଲେଖକ ଅଂଶ ଗ୍ରହଣ କରିଥିଲେ। ଏହି ଆଲୋଚ଼ନା ଚକ୍ରରେ ବାଇଗଣବାଡ଼ିଆ ବି. ବି.କଲେଜର ଅଧ୍ୟକ୍ଷ୍ୟା ଡ. ସୁଂଯୁକ୍ତା ମହାନ୍ତି ମୁଖ୍ୟ ଅତିଥି ଥିଲା ବେଳେ, ମୟୂରଭଞ୍ଜ ସାହିତ୍ୟ ପରିଷଦ ଉପସଭାପତି ଜୟନ୍ତ କୁମାର ଦ୍ୱାରୀ, ପୁରୀ ଶ୍ରୀ ଜଗନ୍ନାଥ ଚ଼େତନା ଗବେଷଣା ପ୍ରତିଷ୍ଠାନ ସଭାପତି ଅଜିତ୍ କୁମାର କବାଟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଆଲୋଚ଼ନା ଚକ୍ର କାର୍ଯ୍ୟକ୍ରମକୁ ବାଙ୍ଗିରିପୋଷି ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅଧ୍ୟାପକ ଡ. ନିର୍ମଳ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଓଡ଼ିଆଙ୍କ ଭାଷା, ସାହିତ୍ୟ ଓ ଶିକ୍ଷାକୁ ନେଇ ବିଭିନ୍ନ ସମସ୍ୟା ଗୁଡ଼ିକ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ପଡ଼ୋଶୀ ରାଜ୍ୟର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସମସ୍ୟା ଗୁଡ଼ିକର ସମାଧାନ କରିବା ଦିଗରେ ମୁଖ୍ୟମନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମାନ୍ୟବର ବିଧାୟକଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଭଞ୍ଜ ଦୁତ ଖବର।
