ପୂଜ୍ୟ ପୂଜା ସମିତି ପକ୍ଷରୁ ଓଡ଼ିଶା ଦିବସ ପାଳନ
ଓଡ଼ିଶାବାସୀଙ୍କ ମୌଳିକ ସମସ୍ୟା ସମାଧାନ ହେଉ: ସମିତି
ବ୍ରହ୍ମପୁର, ତା. ୧.୪.୨୦୨୬: ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ୯୧ତମ ଉତ୍କଳ ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। ଏହି ଅବସରରେ ସହରର ବିଭିନ୍ନ ଛକରେ ସ୍ଥାପିତ ଓଡ଼ିଆ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସେମାନଙ୍କର ଅବଦାନ ସ୍ମରଣ କରାଯାଇଥିଲା ଅପରାହ୍ନରେ ବିଜିପୁର କମ୍ୟୁନିଟି ହଲ୍ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଆନ୍ଦୋଳନର ଇତିହାସ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ସମିତିର ସମ୍ପାଦକ ଏସ. ସାମ୍ବସିବା ରାଓ ଅଧ୍ୟକ୍ଷତା କରିଥିବା ବେଳେ ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, କୁନି କୁମାରୀ ଦେବୀ, ଅଶୋକ କୁମାର ଦଳାଇ, ପ୍ରଦୀପ କୁମାର ସେଠି, ଗୁଣନିଧି ବେହେରା, ଆଦିତ୍ୟ ନାରାୟଣ ରଥ ଓ ଆଇନଜୀବି ଅବନୀ ଗୟା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବକ୍ତାମାନେ କହିଥିଲେ ଯେ, ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅତୁଳନୀୟ। ଓଡ଼ିଆ ଏକତ୍ରିକରଣ ଆନ୍ଦୋଳନର ପୃଷ୍ଠଭୂମି ଗଞ୍ଜାମ ଜିଲ୍ଲାରେ ଗଢ଼ିଉଠିଥିଲା ଓ ଏହି ଜିଲ୍ଲା ଆନ୍ଦୋଳନର ଏକ ମୁଖ୍ୟ କେନ୍ଦ୍ର ଥିଲା। ଏହା ସହିତ ଓଡ଼ିଶାର ଭୌଗଳିକ ସୀମା, ଖଣିଜ ଓ ଜଙ୍ଗଲ ସମ୍ପଦ ସୁରକ୍ଷା ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ଉଭା ହୋଇଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ରାଜସ୍ୱ ସଂଗ୍ରହ ନାମରେ ମଦର ପ୍ରଚାର-ପ୍ରସାର ଫଳରେ ଆଇନ-ଶୃଙ୍ଖଳାର ଅବନତି ଓ ସାଧାରଣ ଲୋକଙ୍କ ଜୀବନ-ଜୀବିକା ଉପରେ ପ୍ରଭାବ ପଡ଼ୁଥିବା କଥା ଉଠାଇଥିଲେ। ପ୍ରତିବର୍ଷ ହଜାର ଯୁବକ ଜୀବିକା ନିମନ୍ତେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବା ମଧ୍ୟ ଏକ ଚିନ୍ତାଜନକ ପରିସ୍ଥିତି ବୋଲି କୁହାଯାଇଥିଲା। ଏହି ସମସ୍ୟା ଗୁଡ଼ିକ ସମାଧାନ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ବକ୍ତାମାନେ ଆହ୍ୱାନ କରିଥିଲେ। ଶେଷରେ ସୁରେନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଜ୍ଞାପନ କରି ସଭାର ସମାପନ କରିଥିଲେ।
