ଅହମଦୀୟା ମୁସଲିମ ସମ୍ପ୍ରଦାୟର ପ୍ରତିଷ୍ଠା ଦିବସ
ସୋର(ନିପ୍ର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ)- ଅହମଦୀୟା ସମ୍ପ୍ରଦାୟର ପ୍ରତିଷ୍ଠା ଦିବସ ଅବସରରେ ସୋର ଅହମଦୀୟା ମୁସ୍ଲିମ ସଂଗଠନ ତରଫରୁ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଏକ ଧର୍ମସମ୍ମିଳନୀ ଅହମଦୀୟା ମସ୍ଜିଦ ପ୍ରାଙ୍ଗଣରେ ସଂଗଠନର ସଭାପତି ସୟଦ ଓସିମ ଅହମଦ୍ ସାହେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଶ୍ୱ ଶାନ୍ତି ଓ ମଙ୍ଗଳ ପାଇଁ ସାମୁହିକ ପ୍ରାର୍ଥନା କରାଯାଇଥିଲା। ଏହି ସଭାରେ ସିରାଜ ଖାନ୍, ଶୋଏବ ଅଲ୍ଲୀ, ଶେଖ୍ ଅଜୀମ, ଅବଦୁଲ ଓଦୁଦ ଖାନ୍, ଶେଖ୍ ଅବଦୁର୍ ରଶିଦ ଓ ମୌଲବୀ ଜନାବ୍ ଶରିଫ୍ ଖାନ୍ ଯୋଗଦେଇ ନିଜ ନିଜର ବକ୍ତବ୍ୟରେ ଅହମଦୀୟା ମୁସଲିମ ସମ୍ପ୍ରଦାୟର ପ୍ରତିଷ୍ଠାକୁ ୧୩୭ ବର୍ଷ ବିତିଗଲାଣି ଏବଂ ଏହାର ପ୍ରତିଷ୍ଠାତା ହଜରତ୍ ମିର୍ଜା ଗୁଲାମ ଅହମ୍ମଦ ସାହେବଙ୍କ ବାର୍ତ୍ତା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାନବୀୟ ସହାନୁଭୂତି, ଭ୍ରାତୃଭାବ ଏବଂ ମୈତ୍ରତାର ଭାବ ପ୍ରଦାନ କରିଥାଏ ବୋଲି କହିଥିଲେ। ଦ୍ୱିତୀୟ ଦିନରେ ନାରୀ ସଂଗଠନ ଲଜନା ଇମାଉଲ୍ଲା ସୋର ତରଫରୁ ସଭାପତି ନବିଲା ଉଦୁଦ୍ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଗାନ୍ଧିସେବାସଂଘ ପୁରୁବାଈ କନ୍ୟାଶ୍ରମର ସଂପାଦିକା ସୁମତୀ ମହାନ୍ତି, ଆରତି ଦେବୀ ବୃଦ୍ଧାଶ୍ରମର ସହସଂପାଦିକା ମୁନିମତି ଆରତି ଦେବୀ, ପୁଷ୍ପଲତା ନାୟକ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ସେକ୍ ୱସିମ, ସେକ୍ ଅବଦୁଲ ଅଜିଜ, ଇଫତେଖାର ଅଲ୍ଲୀ, ସେକ ସରୱର ଅହମ୍ମଦ, ଇମ୍ରାନ ଖାନ୍, ନୁସରତ୍ ଜାହାନ୍ ପ୍ରମୁଖ ସହେଯୋଗ କରିଥିଲେ।
