ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ଭଞ୍ଜନଗରର ଭୂମିକା ।
ଭଞ୍ଜନଗର -୨୩/୦୩ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ଭଞ୍ଜନଗର ସ୍ଥାନୀୟ ଆର୍.ଏମ୍.ସି.ସଭାକକ୍ଷରେ ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ଭଞ୍ଜନଗରର ଭୂମିକା ଉପରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଲୋହରାଖଣ୍ଡି ସାହିତ୍ୟ ସଂସଦ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ସଂସଦର ସଭାପତି ଡକ୍ଟର ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପୌର ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବିଶିଷ୍ଟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଯୋଗାନନ୍ଦ ସାହୁ, ବରେଣ୍ୟ ଅତିଥିଭାବେ କବି ତଥା ସୁସାହିତ୍ୟିକ ପ୍ରଶାନ୍ତ ମହାନ୍ତି, ସମ୍ମାନନୀୟ ଅତିଥି ଭାବେ ସାହିତ୍ୟିକ ଡ଼କ୍ଟର ଲମ୍ବୋଦର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର କାହ୍ନୁଚରଣ ପାଢ଼ୀ, ସମ୍ମାନନୀୟ ବକ୍ତାଭାବେ ଗୀତିକାର ମୋତିଲାଲ ପତି ଉପସ୍ଥିତ ରହି ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ଭଞ୍ଜନଗରର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ବକ୍ତାମାନେ କହିଥିଲେ। କାର୍ଯ୍ୟକ୍ରମକୁ ସଂସଦର ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ପରିଚାଳନା କରିଥିବା ସମୟରେ ଅତିଥି ପରିଚୟ ପ୍ରଦାନ କରିଥିଲେ ସଂସଦର ସଦସ୍ୟା ସୁଜାତା ଷଡ଼ଙ୍ଗୀ। ଅତିଥି ଆହ୍ୱାନ କରିଥିଲେ ସଦସ୍ୟ ସୁନୀଲ କୁମାର ପାଣି। ଆନନ୍ଦ ସଙ୍ଗୀତାୟନର ସମ୍ପାଦକ ଅଶୋକ କୁମାର ମହାପାତ୍ର ଏବଂ ତାଙ୍କର ସାଥୀମାନେ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ। ସୁବାସ ଚନ୍ଦ୍ର ତାରିଣୀଙ୍କ କବିତା ପୁସ୍ତକ ‘ବର୍ଣ୍ଣବିଭା’, ରୀତାରାଣୀ ମହାପାତ୍ରଙ୍କ ଅନୁବାଦ ପୁସ୍ତକ ‘କନ୍ଧମାନଙ୍କ ଅଞ୍ଚଳ ଫୁଲବାଣୀ’, କଳ୍ପନା କୁମାରୀ ପ୍ରଧାନଙ୍କ ଗଳ୍ପ ପୁସ୍ତକ ‘ସାୟାହ୍ନର ସୂର୍ଯ୍ୟ’ ସହିତ ସୁନିଲ ପାଣିଙ୍କ ସମ୍ପାଦିକ ‘ଭଞ୍ଜ ଜ୍ୟୋତି’ର ମାର୍ଚ୍ଚ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଓଡ଼ିଶା ସାହିତ୍ୟ ଏକାଡ଼େମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରକାଶ କରିଥିଲେ। ସଦସ୍ୟା ଲୋପାମୁଦ୍ରା ରଥ ଧନ୍ୟବାଦ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସଦର ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ ଏବଂ ସହ ସମ୍ପାଦକ ତ୍ରିନାଥ ବେହେରା କବିତା ସଂଯୋଜନା କରିଥିଲେ। ୫୦ଜଣ ଆମନ୍ତ୍ରିତ କବି ନିଜର ସ୍ୱରଚିତ କବିତା ପାଠ କରିଥିଲେ। ସଦସ୍ୟା ବିଷ୍ଣୁପ୍ରିୟା ପତି ଅତିଥି ଆହ୍ୱାନ କରିଥିବାବେଳେ ସଦସ୍ୟା ଶୁଭସ୍ମିତା ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।
