ଗୋପବନ୍ଧୁ ଫାଉଣ୍ଡେସନ ପକ୍ଷରୁ ପଞ୍ଚମ ମିନି ମାରାଥନ ପ୍ରତିଯୋଗିତା।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରୁଣା ବସନ୍ତ ପଞ୍ଚାୟତର ବାଲଂଶା ଗ୍ରାମରେ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଗୋପବନ୍ଧୁ ଫାଉଣ୍ଡେସନ ଆନୁକୁଲ୍ୟରେ ଏକ ରାଜ୍ୟ ସ୍ତରୀୟ ମିନି ମାରାଥନ ପ୍ରତିଯୋଗିତା ବେଶ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନଲାଇନ ମାଧ୍ୟମରେ ଆଗରୁ ପ୍ରତିଯୋଗିମାନେ ଆବେଦନ କରିଥିଲେ ଓ ନିର୍ଦ୍ଧାରିତ ସମୟରେ ପହଂଚି ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ସ୍ବର୍ଣ୍ଣ ପଦକ ପ୍ରାପ୍ତ ଖୋକୋ ଖେଳାଳି ମିସ୍ ମଧୁସ୍ମିତା ଓଝା ଓ ଅଙ୍କିତ ଜେନା ଉଦଘାଟନ କରିଥିଲେ। ଏହି ମିନି ମାରାଥନ୍ ରେ ୧୫୦ ରୁ ଉର୍ଦ୍ଧ ପ୍ରତିଯୋଗୀମାନେ ଭାଗ ନେଇଥିଲେ।ସକାଳ ସାତ ଘଟିକା ସମୟରେ ମିନି ମାରାଥନ୍ ପ୍ରତିଯୋଗୀମାନେ ଦେଉଳସାହି, ଧରତଙ୍ଗଗଡ, ରାମଚନ୍ଦ୍ରପୁର, ଶାଳିଜଙ୍ଗା, ତଅଁରା, ରେଢୁଆ, ଗହ୍ମାପୁର ଆଦି ପାଞ୍ଚ ଛଅଟି ଗ୍ରାମ ଅତିକ୍ରମ କରିବା ସହିତ ୮ କିଲୋମିଟର ଗଣଦୈାଡ କରିଥିଲେ। ଗଣଦୌଡ ରେ ପ୍ରମୁଖ ସ୍ଥାନ ହାସଲ କରିଥିବା ମିନି ମାରାଥନ୍ ପୁଅ, ଝିଅ ମାନଙ୍କୁ ସମାନିତ କରିବା ନିମନ୍ତେ ଆୟୋଜିତ ଏକ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲିବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଗତି ପ୍ରିୟମ୍ବଦା ଜେନା ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ଲିପ୍ ସୀତା ମହାନ୍ତି, ଅବସର ପ୍ରାପ୍ତ ଏନ୍ ସି ସି ଶିକ୍ଷକ ରାଜକିଶୋର ସାହୁ, ସମ୍ମାନିତ ଅତିଥି ଭାବେ ପୁରୁଣା ବସନ୍ତ ସରପଞ୍ଚ କାଳନ୍ଦୀ ମହାନ୍ତି, ସଞ୍ଜୟ କୁମାର ସାହୁ, ଭୂବନ ମୋହନ ଦାସ, ଶୁଭ୍ରକାନ୍ତ ଜେନା, ବନମାଳୀ ମହାରଣା ପ୍ରମୁଖ ଯୋଗଦେଇ ଏହି ଗଣଦୌଡର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁନାମ ଧନ୍ୟ କବି ଓ ସୁଲେଖକ ଅଲେଖ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲା ବେଳେ ଏହି ମିନି ମାରାଥନ୍ ଦୌଡ଼ ଘଟଣା ପଛର ଦିଗଦର୍ଶକ ତାପସ ମହାରଣା ମଞ୍ଚ ପରିଚାଳନା କରିଥିଲେ। ଗୋପବନ୍ଧୁ ଫାଉଣ୍ଡେସନର ସଂପାଦକ ତଥା ମୁଖ୍ୟ ଉଦ୍ୟୋକ୍ତା ପ୍ରଭୁଦତ୍ତ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଶେଷରେ ରାକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅନୁଷ୍ଠାନ ଟି ଗ୍ରାମାଞ୍ଚଳରେ ଉଭୟ ପୁରୁଷ ଓ ମହିଳାଙ୍କୁ ନେଇ ମିନି ମାରାଥନ୍ କରିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ସ୍ଵାଗତ କରିଥିଲେ।
