ରେଢୁଆ ମଣ୍ଡିରେ ଚାଷିଙ୍କ ଧାନ ଉଠି ପାରୁନି, ଧାରଣାରେ ବସିଲେ ଚାଷୀ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ପ୍ରକୃତ ଚାଷୀ ମାନଙ୍କ ଧାନକୁ କ୍ରୟ କରାନଯାଇ କିଛି ମୁଷ୍ଟିମେୟ ବ୍ୟକ୍ତି, ବେପାରୀ ଓ ରାଜନୈତିକ ନେତା ମାନଙ୍କ ଧାନକୁ ଉଠା ଯାଇଥିବା ବେଳେ ବହୁ ପ୍ରକୃତ ଚାଷିଙ୍କ ଧାନ ଉଠାଯାଇ ପାରିନାହିଁ, ଯେଉଁଥି ପାଇଁ ଚାଷିଙ୍କ ମନରେ ଛନକା ପଶିଥିଲା ଯେ ଟୋକନ ତାଙ୍କର ଲାପସ କରିଗଲେ ଆଉ ଧାନ ଦେଇ ପାରିବେ ନାହିଁ ବୋଲି। ରେଢୁଆ ମଣ୍ଡିରେ ଏଭଳି ଅବ୍ୟବସ୍ଥା ହେବା କିଛି ନୂଆ ଘଟଣା ନୁହେଁ, ପ୍ରତି ବର୍ଷ ବହୁ ପ୍ରକୃତ ଚାଷୀ ଧାନ ବିକ୍ରୟ କରି ନ ପାରି ଶେଷରେ କମ୍ ମୂଲ୍ୟରେ ବେପାରୀ ମାନଙ୍କୁ ଦେବାକୁ ବାଧ୍ୟ ହୋଇଥାଏ । ଚଳିତ ବର୍ଷ ୧୨୮ ଜଣ ଚାଷୀ ଙ୍କ ନାମ ପଞ୍ଜୀକୃତ ହୋଇ କେବେ ଧାନ ଦେବେ ବୋଲି ଏସ ଏମ ଏସ ଜରିଆରେ ଜଣାଇ ଦିଆଯାଇ ଥିଲେ ବି ଏପର୍ଯ୍ୟନ୍ତ ସେମାନେ ଧାନ ଦେଇପାରିନ ଥିବା ବେଳେ ବହୁ ଭାଗ ଚାଷୀ ଙ୍କ ଧାନ କିପରି ଉଠିଲା ସେ ନେଇ ବିବାଦ ଦେଖା ଦେବାରୁ ବହୁ ଚାଷୀ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆରମ୍ଭ କରିଥିଲେ। ପ୍ରବଳ ଖରା ତାପ ସାଙ୍ଗକୁ ଚାଷିଙ୍କ ଧାରଣା ଯେପରି ରେଢୁଆ ସମବାୟ ସମିତି ସମ୍ପାଦକ ଓ ସଭାପତି ଙ୍କ ନଜରକୁ ନ ଆସିଲା ପରି ମନେ ହେଉଥିଲା । ଏଭଳି ଖବର ପାଇ ଉପରବେଳା ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ ଧାରଣା ସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାଇଥିଲେ ବି ସେମାନେ ଆମ ଧାନ ନ ଉଠିବା ପର୍ଯ୍ୟନ୍ତ ଉଠିବୁ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ। ଶେଷରେ ସେ ନିରାଶ ହୋଇ ଜିଲ୍ଲା ଯୋଗାଣ ଅଧିକାରୀ ଜିତ୍ରେୟ ଚରଣ ଟୁଡୁ, ଏସ ଆର ସି ଏସ ରାଖଲ୍ ଚନ୍ଦ୍ର ସାମଲ ଓ ଅନ୍ୟ ଅଧିକାରୀ ଆସି ପହଞ୍ଚି ଚାଷିଙ୍କ ସହିତ ଆଲୋଚନା କରିଥିଲେ। ଚାଷିଙ୍କ ସହିତ ଆଲୋଚନାକୁ ନେଇ ରାତି ଏଗାର ବାଜି ଯାଇଥିଲେ ବି ଚାଷୀ ଙ୍କ ମଣ୍ଡିରେ ଧାନ କେବେ ଉଠିବ ବୋଲି ପ୍ରତିଶ୍ରୁତି ଦେଇପାରି ନଥିଲେ । ଶେଷରେ ତହସିଲଦାର ଶ୍ରୀମତୀ ନାୟକ ପ୍ରତିଶ୍ରୁତି ଦେଇଥିଲେ ଯେ ଉଠି ପାରି ନଥିବା ୧୨୮ ଜଣ ଚାଷିଙ୍କ ଧାନ ଉଠିବାର ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ କହିବା ପରେ ଧାରଣା ସ୍ଥାନରୁ ଚାଷୀମାନେ ଉଠିଥିଲେ। ଏହି ଚାଷୀ ମାନଙ୍କ ଧାରଣା ସ୍ଥାନରେ ରେଢୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ବେହେରା, ସମିତି ସଭ୍ୟ ବିଶ୍ୱଜିତ୍ ଦାସ, ତଅଁରା ସରପଞ୍ଚ ବଟକୃଷ୍ଣ ନାୟକ, ତପନ ମଲ୍ଲିକ, ସୁନୀଲ କୁମାର ଜେନା ପ୍ରମୁଖ ଥିବା ବେଳେ କୃତ୍ତିବାସ ଜେନା, ଅଶୋକ କୁମାର ବେହେରା, ଦିଲୀପ କୁମାର ବାରିକ, ଲକ୍ଷ୍ମୀଧର ସାହୁ, ଜୟୀରାମ ସ୍ଵାଇଁ, ପ୍ରଦୀପ କୁମାର ନାୟକ, ବିଶ୍ଵଜିତ ସାହୁ, ଶୁଭ୍ରକ୍ରାନ୍ତ ଜେନା, ରବିନାରାୟଣ ସ୍ଵାଇଁ, ଅରକ୍ଷିତ ସାହୁ, ସଞ୍ଜୟ ସ୍ଵାଇଁ, ବିକ୍ରମ କେଶରୀ ସ୍ଵାଇଁ ଓ ପ୍ରକାଶ କୁମାର ନାୟକ ପ୍ରମୁଖ ଚାଷୀ ଓ ସମର୍ଥକ ମାନେ ଉପସ୍ଥିତ ଥିଲେ। ଧାରଣା ସ୍ଥାନରୁ ଚାଷୀ ମାନେ ଉଠି କୁହା କହି ହେଉଥିଲେ ଯେ ଯଦି ପ୍ରଶାସନିକ ଅଧିକାରୀ ମାନେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବା ଦିଗରେ ବିଫଳ ହୁଅନ୍ତି ତେବେ ଆମ ଏହି ଆନ୍ଦୋଳନ ବିଧାନସଭା ପର୍ଯ୍ୟନ୍ତ ଚାଲିବ ଏଥିରେ ଆମକୁ କେହି ରୋକି ପାରିବେ ନାହିଁ।
