*ନୂଆପଡାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ।*
ନୂଆପଡା(ମିଖାଏଲ ନନ୍ଦ)
୧୯/୦୩
ନୂଆପଡା ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଆରମ୍ଭରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଲା ସମସ୍ତଙ୍କୁ ସ୍ୱାଗତ କରି ବୈଠକର ବିବରଣୀ ଉପସ୍ଥାପନ କରିଥିଲେ।ବୈଠକରେ ଜିଲ୍ଲାପାଳ ‘ନୋ ହେଲମେଟ୍ –ନୋ ପେଟ୍ରୋଲ୍’ ନିୟମକୁ ଆହୁରି କଡ଼ାକଡି ଭାବେ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଇଥିଲେ।ସଡ଼କ ଦୁର୍ଘଟଣା କମାଇବା ପାଇଁ ଗାଈଗୋରୁ ଅଧିକ ଚଳାଚଳ କରୁଥିବା ରାସ୍ତାଗୁଡ଼ିକରେ ଆରଟିଓ, ଏନଏସି ଓ ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କ ସଂଯୁକ୍ତ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ହେଲମେଟ୍ ବ୍ୟବହାରକୁ ବାଧ୍ୟତାମୂଳକ କରିବା ପାଇଁ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ୧୦ଟି ସ୍ଥାନରେ ‘ହେଲମେଟ୍ ହବ୍’ ସ୍ଥାପନ ପାଇଁ ଏସଓପି ପ୍ରସ୍ତୁତ ହୋଇଛି ଏବଂ ଏହା ଶୀଘ୍ର କାର୍ଯ୍ୟକ୍ଷମ ହେବ।ଜିଲ୍ଲା ପରିବହନ ଅଧିକାରୀ ଶ୍ରୀମତୀ ଶର୍ମିଳା ମହାରଣା ସଡ଼କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ, ଦୁର୍ଘଟଣା ପ୍ରବଣ ଅଞ୍ଚଳର ସଂଯୁକ୍ତ ନିରୀକ୍ଷଣ, ଆଇନ ପ୍ରୟୋଗ ଓ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ।ଚଳିତ ବର୍ଷ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ମଦ୍ୟପ ଗାଡ଼ି ଚାଳନା ପାଇଁ ୮ଟି ଓ ବିନା ହେଲମେଟ୍ ବାଇକ୍ ଚାଳନା ପାଇଁ ୨୨୮ଟି ଚାଲାଣ ଜାରୀ ହୋଇଛି। ୨୦୨୬ ଜାନୁଆରୀ ୧ରୁ ୩୧ ପର୍ଯ୍ୟନ୍ତ ମଦ୍ୟପ ଚାଳନାରୁ ୧,୨୫,୦୦୦ ଟଙ୍କା, ଦ୍ରୁତ ଗତି ପାଇଁ ୨,୭୨,୦୦୦ ଟଙ୍କା ଓ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର ପାଇଁ ୧୫,୦୦୦ ଟଙ୍କା ଅର୍ଥଦଣ୍ଡ ଆଦାୟ ହୋଇଛି।
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଶ୍ରୀମତୀ ସୂର୍ମୀ ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଧନେଶ୍ୱର ସେଠୀ, ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ ସୁଖେନ୍ଦୁ ରାୟ, ଅବକାରୀ ଅଧିକ୍ଷକ ଶ୍ରୀମତୀ ସଂଘମିତ୍ରା ପ୍ରଧାନ, ନୂଆପଡା, ଖଡିଆଳ ଓ ଖରୀଆର ରୋଡ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
