ଡ୍ରେନ ନଥିବାରୁ ଅଦିନିଆ ବର୍ଷାରେ କଂକ୍ରିଟ ରାସ୍ତାରେ ଆଣ୍ଠୁଏ ପାଣି
ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ଅଣଦେଖା ତଦନ୍ତ ପରେ ମଧ୍ୟ ପ୍ରତିଶ୍ରୁତି କାଗଜରେ ସୀମିତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ
ବେତନଟୀ, ୧୬/୩ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ବେତନଟୀ ଗ୍ରାମ ପଞ୍ଚାୟତର ୧୪ ନମ୍ବର ୱାର୍ଡରେ ଅଦିନିଆ ବର୍ଷା ପରେ ଗୁରୁତର ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଛି। ଗାଁର କଂକ୍ରିଟ ରାସ୍ତା ଉପରେ ଆଣ୍ଠୁଏ ପର୍ଯ୍ୟନ୍ତ ବର୍ଷାପାଣି ଜମି ରହିଥିବାରୁ ଏହା ଏକ କୃତ୍ରିମ ଜଳାଶୟର ଭ୍ରମ ସୃଷ୍ଟି କରିଛି। ଫଳରେ ସ୍ଥାନୀୟ ଲୋକମାନେ ଦୈନନ୍ଦିନ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୮ରୁ ୧୦ବର୍ଷ ପୂର୍ବେ ଏହି ରାସ୍ତାକୁ କଂକ୍ରିଟ କରାଯାଇଥିଲେ ମଧ୍ୟ ଡ୍ରେନ ନିର୍ମାଣ ହୋଇନଥିବାରୁ ପ୍ରତ୍ୟେକ ବର୍ଷ ବର୍ଷା ସମୟରେ ଏଠାରେ ଜଳବନ୍ଦି ସ୍ଥିତି ସୃଷ୍ଟି ହୋଇଥାଏ। ଏହି ସମସ୍ୟା ନେଇ ଗ୍ରାମବାସୀ ପଞ୍ଚାୟତ ଓ ବ୍ଲକ ପ୍ରଶାସନଙ୍କୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ।
ସୂଚନା ଅନୁସାରେ, ଗତକାଲି ହୋଇଥିବା ଅଦିନିଆ ବର୍ଷା ପରେ ପୁଣିଥରେ ଏହି ଅଞ୍ଚଳରେ ଲଗାଣ ବର୍ଷା ସଦୃଶ ଜଳବନ୍ଦି ସ୍ଥିତି ଦେଖାଦେଇଛି। କଂକ୍ରିଟ ରାସ୍ତା ଉପରେ ଦୀର୍ଘ ସମୟ ଧରି ପାଣି ଜମି ରହିବାରୁ ପଚା ଦୁର୍ଗନ୍ଧ ବାହାରୁଛି ଏବଂ ଏହା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି।
ଗତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ବେତନଟୀ ବ୍ଲକର ବିଡିଓ ଶୁଶାନ୍ତ କୁମାର ସୂତାରଙ୍କ ନିର୍ଦ୍ଦେଶରେ ବ୍ଲକ ଏଏଇ ସୌମ୍ୟଶ୍ରୀ ଭୋଇ ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ। ସେ ସମୟରେ ଶୀଘ୍ର ଡ୍ରେନ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। କିନ୍ତୁ ଦୀର୍ଘ ସମୟ କଟିଯାଇଥିଲେ ମଧ୍ୟ ସେହି ପ୍ରତିଶ୍ରୁତି ବାସ୍ତବରେ ପରିଣତ ହୋଇପାରିନାହିଁ।
ଏପରିକି ଗ୍ରାମ ପଞ୍ଚାୟତର କିଛି ଅଞ୍ଚଳରେ ଅତ୍ୟାବଶ୍ୟକତା ନଥିବା ସତ୍ତ୍ୱେ ମାତ୍ର ତିନୋଟି ଘର ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟ କରି ଡ୍ରେନ ନିର୍ମାଣ କରାଯାଇଥିବା ଏବଂ ସୁଖିଲାହାର ସାମିଲ ମହୁଲିଆ ଗାଁରେ ମାତ୍ର ଗୋଟିଏ ଘର ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରାଯାଇଥିବା ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। କିନ୍ତୁ ୧୪ ନମ୍ବର ୱାର୍ଡରେ ଅନେକ ପରିବାର ଏହି ସମସ୍ୟାରେ ସମ୍ମୁଖିନ ହେଉଥିବା ସତ୍ତ୍ୱେ ପ୍ରଶାସନ ଏହାପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି।
ଏହି ସମ୍ପର୍କରେ ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କାମ ପ୍ରକ୍ରିୟାରେ ଅଛି ଏବଂ ଧୀରେ ଧୀରେ ସବୁ ବ୍ୟବସ୍ଥା କରାଯିବ। ଅନ୍ୟପଟେ ବେତନଟୀ ବ୍ଲକ ବିଡିଓ ଶୁଶାନ୍ତ କୁମାର ସୂତାରଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ କାଟି ଦେଇଥିଲେ ଫୋନ ଗ୍ରହଣ କରିନଥିଲେ। ଏହି ସମସ୍ୟାର ଶୀଘ୍ର ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ପ୍ରଶାସନଙ୍କୁ ଦାବି କରିଛନ୍ତି।
