ଦୁଇମାସ ହେଲା ପାଉଣା ପାଉନାହିଁ ସ୍ୱର୍ଗଦ୍ୱାର ରକ୍ଷକ: ପାଞ୍ଚଘଣ୍ଟା ବିଳମ୍ବରେ ହେଲା ଶବ ସତ୍କାର (ଫଟୋ)
ସୋର( ଜ୍ୟୋତିପ୍ରକାଶ ଦୀକ୍ଷିତ, ଭଞ୍ଜଦୂତ,ନିପ୍ର)- ସୋର ପୌରାଞ୍ଚଳ ସ୍ୱର୍ଗଦ୍ୱାର ରକ୍ଷକଙ୍କ ପାଉଣା ଦୁଇମାସ ଧରି ମିଳୁ ନଥିବାରୁ ଶବ କୁ ବୈକଟ କରିବାରୁ ଆଜି ୫ ଘଣ୍ଟା ବିଳମ୍ବରେ ଶବ ସତ୍କାର ହୋଇଛି। ଆଜି ସୋର ବ୍ଲକ କେଦାରପୁର ଗ୍ରାମର ସୀତାକାନ୍ତ ଜେନାଙ୍କର ପରଲୋକ ହୋଇଯିବା ପରେ ସକାଳ ୬ଟାରୁ ତାଙ୍କର ଶବକୁ ପରିବାର ଲୋକେ ସୋର ସ୍ୱର୍ଗଦ୍ୱାରକୁ ସତ୍କାର ପାଇଁ ଆଣିଥିବା ବେଳେ ସ୍ୱର୍ଗଦ୍ୱାରର ଦାୟିତ୍ୱରେ ଥିବା ମୁନା ମହାରଣାଙ୍କୁ ଖବର ଦେଲେ ବି ତାଙ୍କୁ ଦରମା ମିଳୁ ନଥିବାରୁ ସେ ଆସି ନଥିଲେ। ତାଙ୍କର ଅଭିଯୋଗ ଅନୁସାରେ ଶ୍ରୀ ମହାରଣାଙ୍କୁ ଗତ ମସିହାରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇ ସଫେଇ ଠିକା ସଂସ୍ଥାଠାରୁ ମାସିକ ଦରମା ପାଇ ସୁଚାରୁରୂପେ କାର୍ଯ୍ୟ ସଂପାଦନ କରିଆସୁଥିଲେ। ମାତ୍ର ଗତ ବର୍ଷେ ହେଲା ଶାରଳା ଏଜେନ୍ସି ସୋର ପୌରାଞ୍ଚଳ ସଫେଇ ଠିକା ନେବା ପରେ ଠିକ୍ ଭାବେ ପାଉଣା ଦେଉନଥିବା ବେଳେ ଗତ ଦୁଇମାସ ହେଲା ଦରମା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି। ଆଜି ସୀତାକାନ୍ତଙ୍କ ପରିବାର ଲୋକେ ଶବ ରଖି ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଗେଟ୍ ଖୋଲି ନଥିଲା। ସମାଜସେବୀ ଶ୍ରୀଧର ମହାପାତ୍ର ଏବଂ ପୌର କର୍ମଚାରୀ ସେଠାରେ ପହଞ୍ଚି ସ୍ୱର୍ଗଦ୍ୱାର ରକ୍ଷକ ମୁନାକୁ ବୁଝାସୁଝା କରିବା ସହ ସ୍ଥାଇ ସମାଧାନ ର ବାଟ ଫିଟିବା ସହ ଦୀର୍ଘ ୫ ଘଣ୍ଟା ପରେ ସତ୍କାର କରାଯାଇଥିଲା। ଏ ସଂପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଠିକା ସଂସ୍ଥା ତରଫରୁ ନିଯୁକ୍ତି ପାଇଥିବା ମୁନା ମହାରଣା ପୌର କର୍ମଚାରୀ ନୁହଁନ୍ତି। ଠିକା ସଂସ୍ଥା ତରଫରୁ ନିଯୁକ୍ତି ପାଇଥିବାରୁ କ’ଣ ଦରମା ପାଇଲେ ନପାଇଲେ ଜଣାନାହିଁ। ତେବେ ଆଜିର ଉପୁଜିଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଆଗମୀ ଦିନରେ ଏଭଳି ଅସୁବିଧା ନହେବା ପାଇଁ ଜଣେ ଆଜିଠାରୁ ପୌର କର୍ମଚାରୀଙ୍କୁ ସ୍ୱର୍ଗଦ୍ୱାର ଦାୟିତ୍ୱ ଦିଆଯାଇଛି।
