ପୋଲିସ ପକ୍ଷରୁ ବାଗୁଡି ଖାଦାନରେ ଚଢ଼ାଉ , ୭ଜଣ ଅଟକ
ସୋର,୧୨/୩(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ଖାଦାନ ରୁ ପଥର ଚୋରି ହେଉଥିବା ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ଓ ଅଭିଯୋଗ ହେବା ପରେ ଗତକାଲି ବିଳମ୍ବିତ ରାତିରେ ଜିଲା ପ୍ରଶାସନର ନିର୍ଦେଶରେ ସୋର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଥିରେ ଅତିରିକ୍ତ ଏସପି ନିରଞ୍ଜନ ବେହେରା, ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ,ସୋର ଥାନାଧିକାରି ମୁକୁନ୍ଦ ମୁରାରୀ ପାତ୍ର,ଖନ୍ତାପଡା ଥାନାଧିକାରୀ ଅନୁରାଗ ମହାନ୍ତିଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ମାନେ ସାମିଲ ହୋଇଥିଲେ। ଚଢ଼ାଉ ସମୟରେ ତିନୋଟି କ୍ରସରର କାଗଜପତ୍ର ଯାଞ୍ଚ କରାଯିବା ସହିତ ସେଠାରେ କାମ କରୁଥିବା ୭ଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚାରାଉଚୁରା କରାଯାଉଥିବା ଜଣାପଡିଛି। ଏହି ଚଢ଼ାଉ ଗତକାଲି ରାତିରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ମଧ୍ୟାହ୍ଣରେ ପୁର୍ବାଞ୍ଚଳ ଆଇଜି ପିନକି ମିଶ୍ର ଖାଦାନ ଗସ୍ତ କରି ସ୍ଥିତି ପରଖିବା ସହିତ ପଥର ଚୋରିରେ ରୋକ ଲଗାଇବାକୁ ଥାନାଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି। ପଥର ଚୋରିରେ ରୋକ ଲଗାଇବାକୁ ପୁର୍ବରୁ ଗୋଟିଏ ପୁଲିସ କ୍ୟାମ୍ପ ବସଯାଇଥିବା ବେଳେ ଆଜି ସଂଧ୍ୟାରୁ ଅନ୍ୟ ଏକ ପୁଲିସ କ୍ୟାମ୍ପ ବସାଯାଇଛି। ଚୋରା ପଥର କାରବାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
