ହସନାପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଫଟୋ ଚିତ୍ର ପ୍ରଦାନ।
————————————-
ଭଞ୍ଜନଗର : ୦୭/୦୩(ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ଅଗମ୍ୟ ଜଙ୍ଗଲ ଚନ୍ଦ୍ରଗିରି ପାହାଡ଼ର ପାଦ ଦେଶରେ ନିଜ ରଣକୌଶଳର ପ୍ରମୁଖ ସ୍ଥାନ ବାଛି ତେର ବର୍ଷ ବୟସରେ ଇଂରାଜୀମାନଙ୍କ ବିରୁଦ୍ଧରେ ଲଢ଼େଇ ଆରମ୍ଭ କରିଥିଲେ। ୧୮୩୭ ମସିହା ଠାରୁ ୧୮୫୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୦ବର୍ଷ ଧରି ନିଜ ମାତୃଭୂମି ପାଇଁ ଜୀବନକୁ ଉତ୍ସର୍ଗ କରି ଶେଷରେ ଲଢ଼ୁଆ ବୀର ହଠାତ୍ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ଯେଉଁଥିରେ ଆଜି ବି ଇତିହାସ ନୀରବ। ଯୁବ ସଂଗ୍ରାମୀ ଚକରାଙ୍କ ସାମରିକ ସଂଗଠନ ଥିଲା ଅତି ଚମତ୍କାର। ଘୁମୁସରର ଜନଜାତି ମହାନାୟକ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୩ତମ ଜୟନ୍ତୀ ଗତ ଶାମ୍ବ ଦଶମୀ ତିଥିରେ ସରକାର ତାଙ୍କ ଜନ୍ମସ୍ଥାନ ଭଞ୍ଜନଗର ଅନ୍ତର୍ଗତ ବିଞ୍ଜଗିରି ଗ୍ରାମ ରେ ପାଳନ କରିଛନ୍ତି। କିନ୍ତୁ ଆଜି ବି ଚକରା ବିଷୋୟୀ ଘୁମୁସରବାସୀଙ୍କ ନିକଟରେ ପହଂଚି ପାରିନାହାନ୍ତି। ତାଙ୍କ ଜୀବନ ବିଷୟରେ ଦୂରର କଥା ତାଙ୍କ ଫଟୋ ମଧ୍ୟ ଛାତ୍ରଛାତ୍ରୀମାନେ ଦେଖିନାହାନ୍ତି। ତେଣୁ ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ,ଏହି ପରିପ୍ରେକ୍ଷୀରେ ପୂର୍ବରୁ ୧୫ଗୋଟି ବିଦ୍ୟାଳୟରେ ତାଙ୍କ ଜୟନ୍ତୀ ପାଳନ କରିବା ସହିତ ବିଦ୍ୟାଳୟକୁ ଫଟୋ ପ୍ରଦାନ କରିଥିଲା। ଆଜି ପୁଣି ହସନାପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ଫଟୋ ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନୀତା କୁମାରୀ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପରେ ଉପସଭାପତି ସୁବାସ ଚନ୍ଦ୍ର ତାରିଣୀ, ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ଚକରା ବିଷୋୟୀଙ୍କ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସହକାରୀ ଶିକ୍ଷକ ପଦ୍ମଚରଣ ପ୍ରଧାନ, ଅଙ୍ଗନୱାଡ଼ି ଲିସ୍ପା ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ।
