ତହସିଲଦାରଙ୍କ ଭିଜିଲାନ୍ସ ଟ୍ରାପ ପରେ ଲଗାମ ଛଡ଼ା ପଥର ମାଫିଆ ପଥର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ଥାନା ବାଗୁଡି ପଥର ଖାଦାନରୁ ପଥର ଚୋରି ରୋକିବର ନାଁ ଧରୁନି । ପୁର୍ବରୁ ରାତିରେ ପଥର ଚୋରା ଚାଲାଣ ହେଉଥିବା ବେଳେ ଏବେ ଦିନ ରାତି ଅହରହ ପଥର ଚୋରା ଚାଲାଣ ହେଉଛି। ଏହି ଚୋରା ଚାଲାଣ ସମୟରେ ଚୋରା ପଥର ଗାଡି ଚଳାଉଥିବା ଚାଳକ ମାନେ ବେପରୁଆଭାବେ ଗାଡି ଚଳାଉଥିବାରୁ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି। ଗତକାଲି ଅପରାହ୍ଣରେ ତଳନଗର ଗଣ୍ଡତରା ଗ୍ରାମର ସୁମନ କୁମାର ରାଉତ କୌଣସି କାମରେ ଡଗରପଡା ଅଭିମୁଖେ ଯାଉଥିବା ବେଳେ କାନପୁର ପୋଲ ନିକଟରେ ବାଗୁଡି ପଥର ଖାଦାନରୁ ପଥର ବୋଝେଇ କରି ଆସୁଥିବା ଓଡି୦୧କେ୮୬୪୨ ନମ୍ବର ବିଶିଷ୍ଟ ଏକ ପଥର ବୋଝେଇ ଡ଼ମ୍ଫର ଦୃତଗତିରେ ଆସି ତାଙ୍କୁ ସାଇଟ ମାରିବାରୁ ସୁମନ ଓ ତାଙ୍କ ପିଉସି ବାଇକରୁ ପଡି ସାମାନ୍ୟ ଆହତ ହୋଇଥିବା ବେଳେ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଏନେଇ ସୁମନ ଉକ୍ତ ଗାଡିଚାଳକଙ୍କୁ ଅଟକାଇ ପଚାରିବାରୁ ଚାଳକ ଜଣଙ୍କ ତାଙ୍କୁ ନାଲି ଆଖି ଦେଖାଇଥିବା ସୁମନ ଅଭିଯୋଗ କରିଛନ୍ତି। ପୂର୍ବରୁ ବେଆଇନ ପଥର ଗାଡ଼ି ଗୁଡ଼ିକୁ ଗତ ତତ୍କାଳୀନ ସୋରର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ଦିନରାତି ଏକ କରି ଚଢ଼ାଉ କରୁଥିବା ବେଳେ ସେତେବେଳେ ପଥର ମାଫିଆଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ମାତ୍ର ଭିଜିଲାନ୍ସ ଟ୍ରାପରେ ତହସିଲଦାର ଧରା ପଡିବା ପରେ ଖଣି ବିଭାଗ କିମ୍ବା ସୋର ତହସିଲ ପକ୍ଷରୁ ସେମିତି କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନାହିଁ। ଏଣୁ ବର୍ତ୍ତମାନ ବାଗୁଡ଼ି ଖାଦାନରୁ ପୂର୍ବ ଅପେକ୍ଷା କୋଟି କୋଟି ଟଙ୍କାର ବେଆଇନ ପଥର ଲୁଟ ହେଉ ଥିବା ବେଳେ ସୋର ତହସିଲ ଓ ଖଣି ବିଭାଗ ତରଫରୁ ନିରବତା ପ୍ରଶାସନ ଓ ଖଣି ମାଫିଆଙ୍କ ଭିତରେ ଭିତିରି ଦେଣ ନେଣ ର ମଧୁଚନ୍ଦ୍ରିକା କୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
