ଆବାସ ଯୋଜନାରୁ ବଞ୍ଚିତ ଗରିବ ପରିବାରଙ୍କ ଆକୁଳ ଆହ୍ୱାନ
ବର୍ଷା-ଝଡ଼ରେ କୁଡ଼ିଆ ଘର, ଆବାସ ଅପେକ୍ଷାରେ ଗ୍ରାମବାସୀଗରିବ ମୁଣ୍ଡକୁ ଛାତ କେବେ ମିଳିବ !
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ତାରିଖ ୧୩/୨/୨୬
ଭୁବନ – ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତର ଅସୁରବନ୍ଧ ପାଟଣା ଗ୍ରାମର ୱାର୍ଡ ନଂ-୪ ରେ ଏବେବି କିଛି ଗରିବ ଖଟିଖିଆ ପରିବାର ଝାଟି-ମାଟି କୁଡ଼ିଆ ଘରରେ ବର୍ଷା-ଝଡ଼-ତୋଫାନକୁ ସହି ଦିନ କାଟୁଛନ୍ତି | ସରକାରୀ ଆବାସ ଯୋଜନାର ଲମ୍ବା ତାଲିକା ଥିଲେ ମଧ୍ୟ, ଏହି ପରିବାରମାନଙ୍କ ଭାଗ୍ୟରେ ଏପର୍ଯ୍ୟନ୍ତ ପକା ଘର ଲେଖା ହୋଇନାହିଁ | ଗ୍ରାମବାସୀଙ୍କ କହିବା ଅନୁସାରେ, ଲକ୍ଷ୍ମୀରାଣୀ ବେହେରା (୫୨) ସ୍ୱାମୀ-କାର୍ତ୍ତିକ ବେହେରା, ହେତୁକା ବେହେରା (୫୧) ସ୍ୱାମୀ-ନଣ୍ଡା ବେହେରା, ସୁଭଦ୍ରା ବେହେରା (୫୬) ସ୍ୱାମୀ-କୈଳାସ ବେହେରା, କୁମୁଦ ବେହେରା (୫୮) ସ୍ୱାମୀ-ରମେଶ ବେହେରା ଓ ବର୍ଷାରାଣୀ ବେହେରା (୨୭) ସ୍ୱାମୀ-ବନମାଳୀ ବେହେରା ପରି ପରିବାରମାନେ ବର୍ଷ ପରେ ବର୍ଷ ଧରି ଅତ୍ୟନ୍ତ ଜୀର୍ଣ୍ଣ ଓ ଅସୁରକ୍ଷିତ କୁଡ଼ିଆ ଘରରେ ବସବାସ କରୁଛନ୍ତି | ବର୍ଷା ହେଲେ ଘରଭିତରେ ପାଣି ପଡ଼େ, ଦିୱାର ଭାଙ୍ଗି ପଡ଼ିବାର ଭୟ ରହେ, ତଥାପି ପ୍ରଶାସନର ଦୃଷ୍ଟି ଏପର୍ଯ୍ୟନ୍ତ ଏମାନଙ୍କ ଉପରେ ପଡ଼ିନାହିଁ | ୨୪ ବର୍ଷ ଧରି ଶାସନ କରିଥିବା ପୂର୍ବତନ ସରକାର ସମୟରେ ମଧ୍ୟ ଏହି ଗରିବ ପରିବାରମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନଥିବା ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି | ଯୋଜନା ତାଲିକା ପ୍ରସ୍ତୁତିରେ ଅନିୟମିତତା, ଯୋଗ୍ୟ ହୋଇଥିଲେ ମଧ୍ୟ ନାମ ଛାଡ଼ିଯିବା, ଓ ସ୍ଥାନୀୟ ସ୍ତରରେ ଅବହେଳା ଥିବା ଅଭିଯୋଗ ଉଠିଛି | ପ୍ରଶ୍ନ ଉଠୁଛି-ଯେତେବେଳେ ସରକାର ଗରିବ ମୁଣ୍ଡକୁ ଛାତ ଯୋଗାଇବା ପାଇଁ ବହୁ ଯୋଜନା ଘୋଷଣା କରୁଛନ୍ତି, ତେବେ ଏହି ପରିବାରମାନେ କାହିଁକି ବଞ୍ଚିତ ? କିଏ ନେବେ ଏହାର ଦାୟିତ୍ୱ ? ଜିଲ୍ଲା ପ୍ରଶାସନ ଓ ଭୁବନ ବ୍ଲକ କର୍ତ୍ତୃପକ୍ଷ ଏହି ଘଟଣାକୁ ଗୁରୁତ୍ୱ ସହକାରେ ନେଇ ତୁରନ୍ତ ତଦନ୍ତ କରି, ଯୋଗ୍ୟ ଗରିବ ପରିବାରମାନଙ୍କୁ ଆବାସ ଯୋଜନାରେ ସାମିଲ କରିବେ କି ? ଗ୍ରାମବାସୀମାନଙ୍କ ଆଶା-ନୂଆ ସରକାର ଏହି ଦୁଃଖଦ ଚିତ୍ରକୁ ଅନୁଭବ କରି, ଶୀଘ୍ର ପଦକ୍ଷେପ ନେବେ ଓ ଏହି ଗରିବ ପରିବାରମାନଙ୍କ ମୁଣ୍ଡ ଉପରେ ପକା ଛାତ ବ୍ୟବସ୍ଥା କରିବେ | ଏବେ ଦେଖିବାକୁ ବାକୀ-ପ୍ରଶାସନ ଜାଗିବ କେବେ !
