ସୋରରେ ବନ୍ଦ ହେବାର ନାମ ଧରୁନି ବେଆଇନ୍ ପଥର ଚାଲାଣ। ୫ ପଥର ବୋଝେଇ ଡମ୍ଫର ଜବତ
ସୋର(ଜ୍ୟୋତିପ୍ରକାଶ, ଭଞ୍ଜଦୂତ, ନିପ୍ର): ତହସିଲ ପକ୍ଷରୁ ଚଢାଉ କରାଯାଇ ୫ଟି ପଥର ବୋଝେଇ ଡମ୍ଫର ଜବତ କରାଯାଇ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ପଥର ଚାଲାଣ ହେଉଥିବାର ଖବର ପାଇ ସୋର ତହସିଲଦାର ଦୈତାରୀ ମଲ୍ଲିକ ୧୬ ନମ୍ବର ଜାତୀୟ ରାଜପଥରେ ଚଢାଉ କରିଥିଲେ। ଏହି ସମୟରେ ବାଗୁଡିରୁ ପଥର ବୋଝେଇ କରି ଆସୁଥିବା ଓଡି ୦୪ ଏଫ ୫୫୮୫,ଓଆର ୦୯ଜି ୪୩୧୧,ଓଆର ୦୦ସି ୨୦୨୯,ଓଡି ୦୨ଏବି ୨୩୧୧ ଓ ଓଡି ୧୬ଡି ୪୯୧୪ ନମ୍ବର ବିଶିଷ୍ଟ ୫ଟି ପଥର ବୋଝେଇ ଡମ୍ଫର ରାଜପଥ କଡରେ ଥିବା ଧଳ ଷ୍ଟକ ପଏଣ୍ଟ ଭିତରରେ ଲୁଚିଯାଇଥିଲେ। ଏହା ଜାଣିପାରି ତହସିଲଦାର ଶ୍ରୀ ମଲ୍ଲିକ ସେଠାରେ ଚଢାଉ କରି ୫ଟି ଡମ୍ଫରକୁ ଜବତ କରିବା ସହିତ ଖଣି ଓ ପରିବହନ ବିଭାଗକୁ ଖବର ଦେଇଥିଲେ। ଜବତ ଗାଡି ଗୁଡିକୁ ତହସିଲ ଓ ଥାନା ପରିସରରେ ରଖାଯାଇଛି। ଗାଡିଗୁଡିକରୁ ଫାଇନ ଆଦାୟ ପରେ ଛଡାଯିବ ବୋଲି ଖଣି ବିଭାଗ ପକ୍ଷରୁ ସୂଚନା ମିଳିଛି।
