ଶିଶୁବାର୍ତ୍ତାର ବସନ୍ତ ମହୋତ୍ସବ
ବ୍ରହ୍ମପୁର, ତା. ୦୭/୦୨ :
ଶିଶୁବାର୍ତ୍ତା ତରଫରୁ ସ୍ଥାନୀୟ ଗିରିମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍- ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା ପ୍ରକୋଷ୍ଠ ପରିସରରେ ବସନ୍ତ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶିଶୁବାର୍ତ୍ତାର ସଭାପତି ବରିଷ୍ଠ ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ମହାସଚିବ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍, ବରିଷ୍ଠ ଅଭିନେତା ତଥା ଶିଶୁ ସାହିତ୍ୟିକ ଡଃ. ବିଜୟ ଚନ୍ଦ୍ର ମହାରଣା, ବରିଷ୍ଠ ତବଲା ବାଦକ ଗୁରୁ ମାଧବ ଜେନା, ଗଣେଶ ଭଜନ ସଂଘ ପରିଚାଳକ ମିହିର କୁମାର ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ସମାଜର ଉଭୟ ମାନସିକ ଓ ଶାରୀରିକ ବିକାଶ ଓ ପୁଷ୍ଟି ସାଧନ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ନିରନ୍ତର ପ୍ରୟାସ ନିମନ୍ତେ ସେମାନେ ଧନ୍ୟବାଦାର୍ହ ବୋଲି ମତବ୍ୟକ୍ତ କରିଥିଲେ। ସମ୍ପାଦକ ମାନସ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଓଡିଶୀ ନୃତ୍ୟ ଗୁରୁ ଏଲ୍. ଗଙ୍ଗୋତ୍ରୀ ଦାସ, ଗୁରୁ ସନ୍ଧ୍ୟାରାଣୀ, ବରିଷ୍ଠ କଣ୍ଠଶିଳ୍ପୀ ରମେଶ କୁମାର ସେଠୀ ଏବଂ ଆଶୁତୋଷ ମହାପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉପଢୌକନ ଓ ସ୍ବର୍ଣ୍ଣାଭ ପଦକ ପ୍ରଦାନ ପୂର୍ବକ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ତତ୍ପରେ ଆରାଧ୍ୟା ଡ୍ୟାନ୍ସ ଗ୍ରୁପ ଏବଂ ରୟାଲ ମ୍ୟୁଜିକ ଏଣ୍ଡ ଏଣ୍ଟେରଟେଇନମେଣ୍ଟର ବହୁ ଶିଳ୍ପୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ପରିଶେଷରେ ପୀତାମ୍ବର ଆଚାରୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
