*ନୁଆପଡାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଓ ଆମ ବସ୍ ଷ୍ଟାଣ୍ଡ କମିଟି ବୈଠକ ଅନୁଷ୍ଠିତ l*
ନୁଆପଡା(ମିଖାଏଲ ନନ୍ଦ)
୩୧/୦୧
ନୁଆପଡା ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଲା ସମସ୍ତଙ୍କୁ ସ୍ୱାଗତ କରି ବୈଠକର ବିବରଣୀ ଉପସ୍ଥାପନ କରିଥିଲେ।ବୈଠକରେ ଜିଲ୍ଲାପାଳ ‘ନୋ ହେଲମେଟ୍ –ନୋ ପେଟ୍ରୋଲ୍’ ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବିନା ହେଲମେଟ୍ରେ ପେଟ୍ରୋଲ୍ ଯୋଗାଇଦେଉଥିବା ପେଟ୍ରୋଲ୍ ପମ୍ପ ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ଏହାସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପେଟ୍ରୋଲ୍ ପମ୍ପଗୁଡ଼ିକରେ ଆକସ୍ମିକ ଚଢ଼ାଉ କରି ନିୟମ ପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ‘ହେଲମେଟ୍ ହବ୍’ ସ୍ଥାପନ କରିବାକୁ ବୈଠକରେ ସିଦ୍ଧାନ୍ତ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୧୦ଟି ହେଲମେଟ୍ ହବ୍ ସ୍ଥାପିତ ହେବ; ବୋଡେନରେ ୨ଟି ଏବଂ ସିନାପାଲି, ଘାଟିପଡା, ଭେଲା, ଖରିଆର ରୋଡ୍, ଉଦ୍ୟାନବନ୍ଧ, ନୁଆପଡା, ତରବୋଡ ଓ କୋମନାରେ ପ୍ରତ୍ୟେକରେ ୧ଟି କରି ହବ୍ ରହିବ। ପ୍ରତ୍ୟେକ ହବ୍ରେ ୫ଟି ହେଲମେଟ୍ ରଖାଯିବ।ଏହି ହେଲମେଟ୍ ହବ୍ଗୁଡ଼ିକୁ ସ୍ୱୟଂସହାୟକ ଗୋଷ୍ଠୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗ୍ରାମପଞ୍ଚାୟତ ମାନଙ୍କ ଦ୍ୱାରା ପରିଚାଳନା କରାଯିବ। ବିନା ହେଲମେଟ୍ ଚାଳକମାନେ ୫୦ ଟଙ୍କା ଜମା ରଖି ହେଲମେଟ୍ ଗ୍ରହଣ କରିପାରିବେ ଏବଂ ଗନ୍ତବ୍ୟ ସ୍ଥାନ ନିକଟସ୍ଥ ହେଲମେଟ୍ ହବ୍ରେ ଏହା ଫେରସ୍ତ ଦେବେ। ଏହି ବ୍ୟବସ୍ଥାକୁ କଡାକଡି ଭାବେ କାର୍ଯ୍ୟାନ୍ବୟନ କରିବା ପାଇଁ ଏସ୍ପିଙ୍କ ତରଫରୁ ପୋଲିସ୍ କର୍ମଚାରୀ ନିୟୋଜିତ ହେବେ।
ବୈଠକରେ ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକ ଚିହ୍ନଟ କରି ସେଠାରେ ତୁରନ୍ତ ଖାଲଖମା ମରାମତି କରିବା ଉପରେ ମଧ୍ୟ ଜିଲ୍ଲାପାଳ ଜୋର ଦେଇଥିଲେ। ପରିବହନ ଅଧିକାରୀ ଶର୍ମିଳା ମହାରଣା ସଡ଼କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ, ଦୁର୍ଘଟଣାପ୍ରବଣ ଅଞ୍ଚଳର ସଂଯୁକ୍ତ ନିରୀକ୍ଷଣ, ଆଇନ ପ୍ରୟୋଗ ଓ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ।ଏହି ବୈଠକରେ ଉପ ଜିଲ୍ଲାପାଳ ସୂର୍ମୀ ସୋରେନ, ସିଡିଏମଓ ଧନେଶ୍ୱର ସେଠୀ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ସମସ୍ତ ବି ଡି ଓ, ଆର୍ଟିଓ ଶର୍ମିଳା ମହାରଣା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହାପରେ, ଜିଲ୍ଲାସ୍ତରୀୟ ଆମ ବସ ଷ୍ଟାଣ୍ଡ ନୋଡାଲ କମିଟି ବୈଠକରେ ବସ୍ ଷ୍ଟାଣ୍ଡ ଓ ସରକାରୀ ବସ୍ ମାନଙ୍କ ପରିଚାଳନା ବିଷୟରେ ଆଲୋଚନା ହୋଇଥିଲା।
