*ନୂଆପଡ଼ାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ଜିଲ୍ଲାରେ ୪ ଲକ୍ଷ ୯୦ ହଜାର ଭୋଟର, ପୁରୁଷଙ୍କ ତୁଳନାରେ ମହିଳା ଆଗରେ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୨୧/୦୯:
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ରାଜନୈତିକ ଦଳ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରିଛନ୍ତି।
ଚୂଡ଼ାନ୍ତ ତାଲିକା ଅନୁଯାୟୀ, ଜିଲ୍ଲାରେ ମୋଟ ୪,୯୦,୩୪୪ ଜଣ ଭୋଟର ଅଛନ୍ତି। ଏଥିରେ ୨,୪୪,୪୯୪ ଜଣ ପୁରୁଷ, ୨,୪୫,୮୧୭ ଜଣ ମହିଳା ଏବଂ ୩୩ ଜଣ ତୃତୀୟ ଲିଙ୍ଗ ଭୋଟର ସାମିଲ ଅଛନ୍ତି। ବିଶେଷ କଥା ହେଉଛି, ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି (ପ୍ରତି ହଜାର ପୁରୁଷରେ ୧,୦୦୫ ମହିଳା)। ଏହା ବ୍ୟତୀତ ୩୪୪ ଜଣ ସେବା ଭୋଟର ରହିଛନ୍ତି।
ପ୍ରକ୍ରିୟା ସମୟରେ ମତଦାନ କେନ୍ଦ୍ର ସଂଖ୍ୟା ୬୬୦ରୁ ୭୧୬କୁ ବୃଦ୍ଧି କରାଯାଇଛି। ସମସ୍ତ ୮୩,୮୪୭ଟି ଦାବି ଓ ଆପତ୍ତି ନୋଟିସ୍ର ସଫଳ ଶୁଣାଣି ପରେ ଏହି ତାଲିକା ଚୂଡ଼ାନ୍ତ ହୋଇଛି।
ଭୋଟରମାନେ ସମ୍ପୃକ୍ତ ମତଦାନ କେନ୍ଦ୍ର, ERO/AERO କାର୍ଯ୍ୟାଳୟ କିମ୍ବା ନିର୍ବାଚନ କମିଶନଙ୍କ ୱେବସାଇଟ୍ (voters.eci.gov.in) ମାଧ୍ୟମରେ ନିଜ ନାମ ଯାଞ୍ଚ କରିପାରିବେ। ନାମ ଯୋଗ ପାଇଁ ଫର୍ମ-୬, ସଂଶୋଧନ ପାଇଁ ଫର୍ମ-୮ ଓ ବାଦ୍ ଦେବା ପାଇଁ ଫର୍ମ-୭ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
