*ନୂଆପଡା ଜିଲ୍ଲାପାଳଙ୍କ ଦ୍ଵାରା*
*ମଙ୍ଗଳ ବିଭାଗ ବିଦ୍ୟାଳୟ ସମୂହର ସମୀକ୍ଷା ବୈଠକ ଅନୁଷ୍ଠିତ*।
ନୂଆପଡା (ମିଖାଏଲ ନନ୍ଦ)
ତା:୩୧.୦
ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ସମୂହର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକର ଆରମ୍ଭରେ ଜିଲ୍ଲା କଲ୍ୟାଣ ଅଧିକାରୀ ଦୀପ୍ତିମନ୍ତ ଭୋଇ ସମସ୍ତଙ୍କୁ ସ୍ୱାଗତ କରି ଜିଲ୍ଲାରେ ବିଭାଗ ଦ୍ଵାରା ଚାଲୁଥିବା ବିଦ୍ୟାଳୟ ମାନଙ୍କର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଇଥିଲେ।ବୈଠକରେ ଜିଲ୍ଲାପାଳ ବିଦ୍ୟାଳୟ ଓ ଛାତ୍ରାବାସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇ କୋଠା ଓ ଅଗ୍ନି ସୁରକ୍ଷା ଅଡିଟ୍ ଯଥାଯଥ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଥିଲେ।ଆସନ୍ତା ପରୀକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ସନ୍ଦେହ ଦୂର କରିବା ପାଇଁ ଅତିରିକ୍ତ କ୍ଲାସ୍ ନେବାକୁ ଶିକ୍ଷକମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଗଣିତ, ଇଂରାଜୀ ଓ ଅନ୍ୟ ବିଷୟରେ ପାରଙ୍ଗମ ଶିକ୍ଷକମାନେ ଆବଶ୍ୟକତା ଅନୁସାରେ ଅନ୍ୟ ବିଦ୍ୟାଳୟରେ ପଢ଼ାଇବାକୁ କହିଥିଲେ।ସମସ୍ତ ପ୍ରଧାନଶିକ୍ଷକଙ୍କୁ ଛାତ୍ରଛାତ୍ରୀମାନେ ଦିନକୁ ଅତି କମ୍ରେ ଗୋଟିଏ ଘଣ୍ଟା ଲାଇବ୍ରେରୀରେ ସମୟ ଦେବା ସୁନିଶ୍ଚିତ କରିବାକୁ କହିଥିଲେ।ଆସନ୍ତା ୧୦ ଫେବୃଆରୀରେ ଜାତୀୟ କୃମିନାଶନ ଦିବସ ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ କୃମିନାଶକ ବଟିକା ଖାଇବା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ସେହିପରି ସମସ୍ତ ଅଧିକାରୀ ଓ ଶିକ୍ଷକଙ୍କୁ “ଆହେ ଦୟାମୟ ବିଶ୍ୱ ବିହାରୀ” ମୋବାଇଲ୍ ଡାଏଲର୍ ଟ୍ୟୁନ୍ ଭାବେ ସେଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ଅବସରରେ, ମହୁଲପଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ କମଳ ସିଂହ ମାଝିଙ୍କୁ ଶ୍ରେଷ୍ଠ କିଚେନ୍ ଗାର୍ଡେନ୍, ସାଲିହା ସେବାଶ୍ରମର ଶ୍ରୀମତୀ ଅନ୍ନପୂର୍ଣ୍ଣା ସାହୁଙ୍କୁ ଶ୍ରେଷ୍ଠ ପ୍ରଧାନ ଶିକ୍ଷୟତ୍ରୀ ଓ ଅପଗ୍ରେଡ଼େଡ୍ ହାଇସ୍କୁଲ୍ ବିରୋମାଲର ପ୍ରଧାନଶିକ୍ଷକ ଆଶିଷ କୁମାର ପାଣିଗ୍ରାହୀଙ୍କୁ ଶ୍ରେଷ୍ଠ ଉପସ୍ଥିତି ପାଇଁ ସମ୍ମାନିତ କରାଯାଇଥିଲା।
ଏହି ବୈଠକରେ ଅଧିକାରୀ ଉଦୟ ସିଂହ ମାଝି, ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ସଞ୍ଜୟ ଭୋଇ ଓ ଶ୍ରୀମତୀ କୌଶଲ୍ୟା ମାଝି ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
