ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ l ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଗୋପାଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସିଆରସିସି ସୁକାନ୍ତ କୁମାର ଦ୍ୱିବେଦୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋମଳମତି ଛାତ୍ରୀଛାତ୍ରଙ୍କୁ ଶିକ୍ଷଣୀୟ ଉପଦେଶ ପ୍ରଦାନ କରିବା ସହ ଶିକ୍ଷକମାନେ ପିଲାଙ୍କ ପଥପ୍ରଦର୍ଶକ ସାଜନ୍ତୁ ବୋଲି ମତବ୍ୟକ୍ତ କରିଥିଲେ।ଏଥିରେ ରେଭେନସା ବିଶ୍ବ ବିଦ୍ୟାଳୟର ପୂର୍ବତନ ଡିନ ପ୍ରଫେସର ଗୌରାଙ୍ଗ ଚରଣ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଶିକ୍ଷାର୍ଥୀଙ୍କ ମାନସିକତାକୁ ପଢି ସେମାନଙ୍କୁ ସଠିକ ଢଙ୍ଗରେ ଗଢିବା ଉଭୟ ଶିକ୍ଷକ ଓ ମାତାପିତାଙ୍କ ଗୁରୁ ଦାୟିତ୍ଵ ରହିଛି, ଏ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ। ଅନ୍ୟମାନଙ୍କ ମଧ୍ୟରେ ଧରାଧର ପୁର ସରପଞ୍ଚ ନଳିନୀପ୍ରଭା ମୁଦୁଲି, ବରିଷ୍ଠ ସିନେ କଳାକାର ବୀରେନ ମିଶ୍ର, ଏବିଇଓ ଆଶୁତୋଷ ବାନାର୍ଜୀ, ପିନାକୀ ବିଶ୍ୱାସ, ରତନ ସିହ୍ନା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେଦାରନାଥ ସାହୁ ଓ ପଞ୍ଚସଖା ଶିକ୍ଷା ସେତୁ ସଭାପତି ଭାସ୍କର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଶିକ୍ଷାଭିତ୍ତିକ ଦିଗଦର୍ଶନ ଦେଇଥିଲେ। ଏହି ଅବସରରେ କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୯୦ ଜଣ ପ୍ରତିଯୋଗୀଙ୍କୁ ଅତିଥିଙ୍କ ପକ୍ଷରୁ ମେଡାଲ ଓ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଜୟପ୍ରକାଶ ପଣ୍ଡା ଅତିଥି ମାନଙ୍କ ପରିଚୟ ଦେବା ସହିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ପରିଶେଷରେ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସ୍ବାଇଁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l ଏହି ବିଦ୍ୟାଳୟର ଶିକ୍ଷୟତ୍ରୀ ଦୀପ୍ତି ମଲ୍ଲିକ,ସୁଶ୍ରୀ ସଂଗିତା ଦାସ, କବିତା ରାଉତରାୟ ଓ ପ୍ରଭାତିପ୍ରୀୟା ବିଶ୍ଵାଳ ପ୍ରମୁଖ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ, ଅବିଭାବକ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ।
