କପ୍ତିପଦା ଉପଖଣ୍ଡ ଉଦଳାକୁ ରେଳ ସଂଯୋଗ ନିମନ୍ତେ ଦାବି
——————————————————————
ଉଦଳା : (ଭଞ୍ଜଦୂତ ଖବର) ଚିର ଅବହେଳିତ କପ୍ତିପଦା ଉପଖଣ୍ଡ ଉଦଳାକୁ ନୂତନ ରେଳ ସଂଯୋଗ କରିବା ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ନେତୃତ୍ୱରେ ଉଦଳା ବଜାରରେ ତା-୨୦/୦୧/୨୬ ରିଖ ଠାରୁ ଆରମ୍ଭ ହୋଇ ତା-୨୨/୦୧/୨୬ ରିଖ ପର୍ଯ୍ୟନ୍ତ ତିନି ଦିନ ଗଣଧାରଣା ଦିଆଯାଇ, ଉପଜିଲ୍ଲାପାଳ କପ୍ତିପଦା ଉଦଳାଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦିଆଯାଇଛି । ଉଦଳା ନିର୍ବାଚନ ମଣ୍ଡଳୀ ତଥା କପ୍ତିପଦା ଉପଖଣ୍ଡର ସର୍ବବୃହତ ସ୍ୱାର୍ଥ ରଖି ପୂର୍ବବତ ସର୍ଭେ ହୋଇଥିବା ଖଡଗପୁର ଠାରୁ ଭଦ୍ରାଚଳମ୍ ଭାୟା ଯାଜପୁର ରୋଡ, ଆନନ୍ଦପୁର, ଶରତ, କପ୍ତିପଦା, ଉଦଳା, ବାରିପଦା ରେଳରାସ୍ତାକୁ ସଂଯୋଗ କରିବା ପାଇଁ ପ୍ରସ୍ତାବ ଦିଆଯାଇଅଛି । ଉକ୍ତ ରେଳ ରାସ୍ତା କରାଗଲେ ଆମ ଜିଲ୍ଲା ତଥା ଉପଖଣ୍ଡରେ ହଜାର, ହଜାର ସଂଖ୍ୟାରେ ଥିବା ବେକାର ଶିକ୍ଷିତ ଯୁବକ, ଯୁବତୀମାନେ କର୍ମ ସଂସ୍ଥାନ ପାଇବା ସହିତ ସାଧାରଣ ଜନତା ଗମନା ଗମନର ମଧ୍ୟ ସୁବିଧା ପାଇ ପାରିବେ । ଆମ ଅଂଚଳକୁ ରେଳ ରାସ୍ତା ସଂଯୋଗ କରାଗଲେ ଶିଳ୍ପର ବିକାଶ ମଧ୍ୟ ହୋଇପାରିବ । କାରଣ ଆମ ଅଂଚଳରେ ଯେଉଁ ଜୈବମଣ୍ଡଳ ଶିମିଳିପାଳ ରହିଛି, ଲକ୍ଷ, ଲକ୍ଷ ଔଷଧିୟ ବୃକ୍ଷ ଯେଉଁ ରହିଛି ତାହାକୁ ଔଷଧ ପ୍ରସ୍ତୁତ କରିବା ପାଇଁ ପ୍ରୋସେସିଂ ୟୁନିଟ୍ ଖୋଲିପାରିବ । ଆମ ଅଂଚଳର ଆଗ୍ରହୀ ଯୁବକ, ଯୁବତୀମାନେ ନିଯୁକ୍ତିର ମଧ୍ୟ ସୁଯୋଗ ପାଇପାରିବେ, ଉକ୍ତ ଧାରଣା କାର୍ଯ୍ୟକ୍ରମରେ ବରି ନେତା ମନୋଜ ମହାନ୍ତି, ପୂର୍ବତନ ନଗରପାଳ, ଉଦଳା, ସୌଭାଗ୍ୟ ସାହୁ, ପୂର୍ବତନ ନଗରପାଳ, ଉଦଳା, ଉଦଳା ଟାଉନ ନେତା ବନମାଳୀ ବେହେରା, ନରେନ୍ଦ୍ର ମୋହନ ରାଉତ, ଅମିୟ କୁମାର ବଳ, ଉଦଳା ଏନ୍.ଏ.ସି.ର ଉପନଗରପାଳ ଲିଲି ଭୋଳ, ଉଦଳା ବ୍ଲକ ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ, କପ୍ତିପଦା ବ୍ଲକ ସଭାପତି ପ୍ରସ୍ତାନ କୁମାର ବେହେରା, ଗୋପବନ୍ଧୁ ନଗର ବ୍ଲକ ସଭାପତି ସତ୍ୟବାନ ଉପାଧ୍ୟୟ, ଏକ ନମ୍ବର ଜିଲ୍ଲା ପରିଷଦ ଶୁଶାନ୍ତି ସିଂ, ଜିଲ୍ଲା ପରିଷଦ ଲଳିତା ବିଶୋଇ, ନାରୀ ନେତ୍ରୀ କୁନ୍ତଳା ମହାନ୍ତ ପ୍ରଭୃତି ଯୋଗ ଦେଇ ଉକ୍ତ ରେଳ ରାସ୍ତା ସଂଯୋଗ ନିମନ୍ତେ ଦୃଢ ଦାବି ଉପସ୍ଥାନ କରିଥିଲେ । ତିନିଦିନ ବ୍ୟାପି ଧାରଣା କାର୍ଯ୍ୟକ୍ରମକୁ ସବୁଜ ସୁନ୍ଦର କରିବା ପାଇଁ ବରି କର୍ମୀ ଶଶଧର ସ୍ୱାଇଁ, ଯୁବ ନେତା ବିଣାକର ମହାପାତ୍ର, ଛାତ୍ର ନେତା ଆଶିଷ ଦାସ, ଶୈଳେଶ ବିଶ୍ୱାଳ, ଭବାନି ଶଙ୍କର ମହାନ୍ତ, ପ୍ରତାପ ଚନ୍ଦ୍ର ବେହେରା, ସୁରେଶ ବିନ୍ଧାଣୀ ଏବଂ ବହୁ ନେତୃମଣ୍ଡଳୀ ସହଯୋଗ କରିଥିଲେ ।
