ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା ( ନିପ୍ର ଗୋକୁଳାନନ୍ଦ ବେହେରା)ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଗୋପିନାଥ ଜିୟୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ନିଜ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଶ୍ରେଣୀ ଗୃହରେ ରବିବାର ଦିନ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ନବ ନିଯୁକ୍ତ ପ୍ରଧାନ ଶିକ୍ଷକ ସୁରେଶ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଣେଶ୍ୱର ସାହୁ ସଭାପତିତ୍ୱ କରିଥିଲେ । ସଭାରେ ବ୍ଲକ ଅତିରିକ୍ତ ବିଇଓ ସଂଯୁକ୍ତା ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଞ୍ଚାୟତ ଯୁବ ସରପଞ୍ଚ ବିଜେନ୍ଦ୍ର କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ବେହେରା , ଭୁବନାନନ୍ଦ ବିଶ୍ଵାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ଶ୍ରୀ ସାହୁ ୧୯୮୭ ମସିହା ଜୁଲାଇ ମାସ ୧ ତାରିଖରେ ନିଜ କର୍ମମୟ ଜୀବନ ଆରମ୍ଭ କରି ୨୦୨୬ ମସିହା ଜୁଲାଇ ମାସ ୩୧ ତାରିଖରେ ନିଜ ଚାକିରୀ କ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୯ ବର୍ଷ ଧରି ଚାକିରୀ କାଳ ମଧ୍ୟରେ ଶ୍ରୀ ସାହୁଙ୍କ ଅନୁଭୂତି ଓ ଗୁଣଗାନକୁ ମଞ୍ଚାସୀନ ଅତିଥି , ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ,ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର , ଛାତ୍ରୀ ଓ ପୁରାତନ ଛାତ୍ର ଛାତ୍ରୀ ମାନେ ଭାବବିହ୍ୱଳ ହୋଇ ଗୁଣଗାନ କରି ବକ୍ତବ୍ୟ ରଖିଥିଲେ । ଅବସର ପରେ ଅବଶିଷ୍ଟ ଜୀବନ ସୁଖଶାନ୍ତିରେ ଅତିବାହିତ କରିବା ପାଇଁ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପରିଶେଷରେ ଅବସର ନେଇଥିବା ଶ୍ରୀ ସାହୁଙ୍କୁ ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
