ଆମ୍ବ ଗଛ ପାଇଁ ଦେଢ଼ଶୁର ଆକ୍ରମଣରେ ଭାଇ ବହୂ ଗୁରୁତର
ସୋର(ନି.ପ୍ର, ଜ୍ୟୋତିପ୍ରକାଶ, ଭଞ୍ଜଦୂତ): ଦେଢଶୁର ଭାଇ ବହୂ କୁ ଛୁଇଁଲେ ସାତଜନମର ପାପ ଲାଗେ, କିନ୍ତୁ ସୋରରେ ଏହାର ଓଲଟା ଦେଖିବାକୁ ମିଳିଛି। ଜମି ପାଇଁ ଦେଢଶୁର ଭାଇବହୂ କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ସୋର ଥାନା ଚିତ୍ତଳ ଗ୍ରାମରେ ଗଛ କଟାକୁ କେନ୍ଦ୍ର କରି ଦେଡ଼ଶୁରଙ୍କ ଆକ୍ରମଣରେ ଭାଇ ବୋହୂ ଗୁରୁତର ହୋଇଛନ୍ତି। ଅଭିଯୋଗ ଅନୁସାରେ ଏହି ଗ୍ରାମର ଅଭିରାମ ନାୟକଙ୍କ ସ୍ତ୍ରୀ ଅହଲ୍ୟା ନାୟକ ତାଙ୍କ ବାଡ଼ିରେ ଏକ ଆମ୍ବ ଗଛ ଲଗାଇଥିଲେ । କିନ୍ତୁ ଆମ୍ବ ଗଛଟିକୁ କେହି କାଟି ଦେଇଥିବାରୁ ଅହଲ୍ୟା ଗାଳି ଗୁଲଜ କରିଥିଲେ । ଫଳରେ ଏଥିରେ ଉତ୍ କ୍ଷିପ୍ତ ହୋଇ ଦେଡ଼ଶୁର ପ୍ରଫୁଲ୍ଲ ନାୟକ ଏବଂ ଶିଶିର ନାୟକ ଗତକାଲି ଅପରାହ୍ନରେ ବିଭିନ୍ନ ମରଣାସ୍ତ୍ର ସହ ଅହଲ୍ୟାଙ୍କ ଘରେ ପଶି ସ୍ଵାମୀଙ୍କ ଅନୁପସ୍ଥିତିରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ I ଅହଲ୍ୟାଙ୍କ ମୁଣ୍ଡ, ଗୋଡ଼, ଦେହରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ସେ ଗୁରୁତର ଆହତ ହାଇଥିଲେ। ଏହା ଦେଖ୍ ତାଙ୍କ ଝିଅ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଅହଲ୍ୟାଙ୍କ ସ୍ଵାମୀ ଅଭିରାମ ଘରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତି କରିଥିଲେ I ସେଠାରୁ ଚିକିତ୍ସିତ ହୋଇ ଫେରିବା ପରେ ଅହଲ୍ୟା ସୋର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି।
