ପ୍ରଥମ ଓଡ଼ିଆ ପର୍ବତାରୋହଣ କାରୀ କଳ୍ପନା ଦାଶ
(ଜନ୍ମ ୭ ଜୁଲାଇ ୧୯୬୬ – ମୃତ୍ୟୁ ୨୩ ମଇ ୨୦୧୯)
ରିପୋର୍ଟର – (ସତ୍ୟବାଦୀ ସେଠୀ)
ଢେ଼ଙ୍କାନାଳ –
ପର୍ବତାରୋହଣ କରିବାର ପ୍ରେରଣା କଳ୍ପନା ନିଜ ପିତା ସ୍ୱର୍ଗତ ଗୁଣନିଧି ଦାଶଙ୍କ ଠାରୁ ପାଇଥିଲେ । ଢେଙ୍କାନାଳର ଆଖ ପାଖରେ ଥିବା ସମସ୍ତ ପାହଡ଼ ଚଢା ସମୟରେ କଳ୍ପନା ତାଙ୍କ ସାଙ୍ଗରେ ଥିଲେ । ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ଏଭରେଷ୍ଟର ଶିଖରକୁ ଛୁଇଁବାପାଇଁ ଆବଶ୍ୟକୀୟ ଅର୍ଥ ନିଜ ଉଦ୍ୟମରେ ଯୋଗାଡ଼ କରିଥିଲେ। ଏଭେରେଷ୍ଟ ଶିଖରରେ ପହଞ୍ଚି ପାରିଥିବା ଆଉ ସମସ୍ତ ଭାରତୀୟ ଆରୋହଣକାରୀ ହୁଏତ ସେନା ବାହିନୀ ତରଫରୁ କିମ୍ବା କୌଣସି ସଂସ୍ଥା ତରଫରୁ ପ୍ରଶିକ୍ଷଣ ଓ ଆର୍ଥିକ ପୃଷ୍ଠପୋଷକତା ପାଇଥିଲେ। ଆର୍ଥିକ,ଶାରୀରିକ ତଥା ସାମାଜିକ ଆହ୍ୱାନକୁ ସମ୍ମୁଖୀନ ହୋଇ ଜଣେ ନାରୀ,ବିଶେଷ କରି ଓଡ଼ିଆ ହିସାବରେ ଏମିତି ଏକ ଉପଲବ୍ଧି ହାସଲ କରିବାର ଉଦାହରଣ ଅତି ବିରଳ । କୌଣସି ବିଧିବଦ୍ଧ ଶିକ୍ଷା ବିନା ସେ ୨୦୦୪ରେ ହିମାଳୟ ଆରୋହଣର ପ୍ରଥମ ପ୍ରଚେଷ୍ଟା କରି ୭୩୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବିନା ଅମ୍ଳଜାନରେ ଯାଇ ପାରିଥିଲେ । ତାଙ୍କ ଜୋତାରେ ତ୍ରୁଟି ଆସିବା କାରଣରୁ ଓହ୍ଲେଇ ଆସିଥିଲେ । ୨୦୦୬ରେ ପୁନର୍ବାର ସେ ୮୦୪୮ ମିଟିର ପର୍ଯ୍ୟନ୍ତ ଏଭେରେଷ୍ଟ ଆରୋହଣ କରିଥିଲେ। କିନ୍ତୁ ମୃତ୍ୟୁର ବଳୟ ବୋଲି କୁହାଯାଉଥିବା ଇଲାକା ଯେଉଁଠି ଅମ୍ଳଜାନର ମାତ୍ରା ପାଖାପାଖି ଶୂନ୍ୟ ଥାଏ ଓ ଉତ୍ତାପ ଶୂନ୍ୟଡିଗ୍ରୀରୁ କମ ଥାଏ,ସେଠାରେ ପ୍ରବେଶ କରିଲା ପରେ,ଅତି ପ୍ରତିକୂଳ ପାଣିପାଗ ଯୋଗୁଁ ବାଧ୍ୟ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ। ତଦୋପାନ୍ତରେ ଅଧିବକ୍ତା ଭାବେ ବୃତ୍ତିଗତ ଜୀବନ ନିର୍ବାହ କରୁଥିବା କଳ୍ପନା ପର୍ବତାରୋହଣରେ ପ୍ରାମାଣିକ ଶିକ୍ଷା ହାସଲ କରିବାପାଇଁ ୨୦୦୧ ମସିହାରେ ରେ ଦାର୍ଜିଲିଂର ହିମାଳୟ ପର୍ବତାରୋହଣ-ପ୍ରଶିକ୍ଷଣ ସଂସ୍ଥାନରେ (Himalayan Mountaineering Institute at Darjeeling) ୩୫ ବର୍ଷ ବୟସରେ ଯୋଗଦେଇ ନିଜର ଦୃଢ଼ ଇଚ୍ଛା ଶକ୍ତିର ପରିଚୟ ଦେଇଥିଲେ। ତା’ପରଠାରୁ ସେ କେବେ ପଛକୁ ଫେରି ଚାହିଁ ନ ଥିଲେ। ପ୍ରତିଦିନ ସେ ନିଜ ସହର ଢେଙ୍କାନାଳ ଉପକଣ୍ଠରେ ଥିବା ୧୩୫୨ ପାହାଚଯୁକ୍ତ କପିଳାସ ପାହାଡ଼କୁ ନିଜ ପିଠିରେ ୩୦ କିଲୋ ଓଜନ ବୋହି ଚଢ଼ିବା ଓ ଓହ୍ଲାଇବାର ଅଭ୍ୟାସ ଦିନକୁ ପାଞ୍ଚ ପାଞ୍ଚଥର କରୁଥିଲେ । ତାଙ୍କୁ ଏ ଦିଗରେ ଆରୋହଣ ନିପୁଣା ବଚେନ୍ଦ୍ରୀ ପାଲଙ୍କର ମାର୍ଗଦର୍ଶନ ବହୁତ ସାହାଯ୍ୟ କରିଥିଲା। ପାଲ୍ କଳ୍ପନାଙ୍କୁ ଆରୋହଣର ଅନେକ କୌଶଳ ଶିକ୍ଷା ଦେଇଥିଲେ। ପର୍ବତାରୋହଣ କରିବାରେ ଅନେକ ଅର୍ଥର ଆବଶ୍ୟକତା ରହିଥାଏ,ଯାହା ବ୍ୟକ୍ତିଗତ ଭାବେ ତାଙ୍କ ଦ୍ୱାରା ପୂରଣ କରିବା ସମ୍ଭବ ନ ଥିଲା । ହଁ,ଏହା ସତ୍ୟ ଯେ ଢେଙ୍କାନାଳର କେତେକ ବାଦାନ୍ୟ ବ୍ୟକ୍ତି ଏବଂ ତତ୍କାଳୀନ ଢେଙ୍କାନାଳର ଜିଲ୍ଲାପାଳ ତାଙ୍କୁ ଏ ଦିଗରେ ଆର୍ଥିକ ସାହାଯ୍ୟ କରିଥିଲେ ଯାହା ଯଥେଷ୍ଟ ନ ଥିଲା। ଏପରିକି ସରକାରଙ୍କ ତରଫରୁ ମଧ୍ୟ ଯାହା ସାହାଯ୍ୟ ମିଳିଲା ତାହାଥିଲା ସମୁଦ୍ରକୁ ଶଙ୍ଖେ ପାଣି ପରି। ଯଦିଓ ସେ ପେଶାରେ ଜଣେ ଅଧିବକ୍ତା,ତଥାପି ଓକିଲାତି ପାଇଁ ତାଙ୍କ ପାଖରେ ଖୁବ୍ କମ୍ ସମୟ ଥିଲା,କାରଣ ତାଙ୍କ ଜୀବନର ପ୍ରାଥମିକତା ଥିଲା ପର୍ବତାରୋହଣ। ନେପାଳ,ଆମେରିକା,କାନାଡ଼ା ଓ ୟୁକ୍ରେନର ପର୍ବତାରୋହୀଙ୍କୁ ନେଇ ଗଠିତ ଦଳକୁ ନେଇ ସେ ୨୦୦୮ ମସିହା ମେ ମାସ ୨୧ ତାରିଖ,୧୧.୪୫ ସମୟରେ ସେ ହିମାଳୟର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଆରୋହଣ କରିବାରେ ସଫଳ ହୋଇ ପାରିଥିଲେ। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ ଏଭେରେଷ୍ଟ ଆରୋହଣରେ ସଫଳ ହୋଇ ପାରିଥିଲେ । କଳ୍ପନା ତାଙ୍କର ଅଭିଯାନରେ ବାହାରିବା ଆଗରୁ ଶ୍ରୀମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଥିଲେ। ‘ପ୍ରଥମ ଓଡ଼ିଆ ଏଭରେଷ୍ଟ ଆରୋହଣକାରୀ ଜଣେ ନାରୀ କେମିତି ହୋଇ ପାରିଲେ’ବୋଲି ଯେତେବେଳେ ତାଙ୍କୁ ପଚରାଗଲା,ସେ କହିଥିଲେ ‘ଏହା ପ୍ରଭୁ ଜଗନ୍ନାଥଙ୍କର ଇଚ୍ଛା’ । ନିଜ ସଫଳତାର ଶ୍ରେୟ ସେ ଓଡ଼ିଶାବାସୀଙ୍କୁ ଦେଇ କହିଥିଲେ,ସେମାନଙ୍କର ଶୁଭକାମନା ଯୋଗୁଁ ଏହା ସମ୍ଭବ ହୋଇ ପାରିଲା। ୪୨ ବର୍ଷ ବୟସରେ ଏଭେରେଷ୍ଟ ଆରୋହଣରେ ସଫଳ ହେଲାପରେ ତାଙ୍କର ଅଭିଳାଷ ଥିଲା ମାଉଣ୍ଟ ମ୍ୟାକ କିନଲେ (Mount McKinley),ଉତ୍ତର ଆମେରିକାର ସର୍ବୋଚ୍ଚ ପର୍ବତ ଶିଖର (୬୧୯୪ ମିଟର/୨୦୩୨୦ ଫୁଟ ଉଚ୍ଚ)କୁ ୫ ଜୁନ ୨୦୧୦ରେ ଆରୋହଣ କରିବାପାଇଁ,ଯାହା ଅତି ପ୍ରତିକୂଳ ପାଣିପାଗଯୁକ୍ତ (ତାପମାତ୍ରା ବିଯୁକ୍ତ ୬୦ ଡିଗ୍ରୀ ସେଲସିୟସ)। ପୂର୍ବ ପ୍ରସ୍ତୁତି ମୁତାବକ ସେ ମ୍ୟାକକିନଲେ ଅଭିଯାନରେ ୫ ଜୁନ ୨୦୧୦କୁ ବାହାରିଥିଲେ। ୧୪,୨୦୦ ଫୁଟ ଉଚ୍ଚ ଆରୋହଣ କରିବା ପରେ ସେ ଅସୁସ୍ଥତା କାରଣରୁ ନିଜର ଅଭିଯାନକୁ ୧୮ ଜୁନ ୨୦୧୦ରେ ବନ୍ଦ କରି ଓଡ଼ିଶା ଫେରି ଆସିଥିଲେ। କଳ୍ପନା ଜାନୁୟାରୀ ୧୬,୨୦୧୫ରେ ବିଶ୍ୱର ଦ୍ୱିତୀୟ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଅକୋନ କାଗୁଆ(Aconcagua) ଛୁଇଁଥିଲେ | ଅକୋନକାଗୁଆ,ଆର୍ଜେଣ୍ଟିନାର ଆଣ୍ଡେସ୍ ପର୍ବତ ମାଳାରେ ଅବସ୍ଥିତ | ଏହାର ଉଚ୍ଚତା ୬୯୬୦.୮ମିଟର | ମାଉଣ୍ଟ ଅକୋନକାଗୁଆ ଅଭିଯାନରେ ଥିବା ୧୩ ଜଣ ପର୍ବତାରୋହୀଙ୍କ ମଧ୍ୟରେ କଳ୍ପନା ଏକ ମାତ୍ର ମହିଳା ପର୍ବତାରୋହୀ ଥିଲେ | ଜାନୁୟାରୀ ୪,୨୦୧୫ରେ କଳ୍ପନା ଏବଂ ତାଙ୍କ ସହଯୋଗୀ ଅକୋନକାଗୁଆ ଚଢିବାର ନିଜ ଅଭିଯାନ ଆରମ୍ଭ କରିଥିଲେ। ୧୨ ଦିନର ଅଭିଯାନ ପରେ ୧୬ ଜାନୁୟାରୀ ୨୦୧୫ରେ କଳ୍ପନା ଏବଂ ତାଙ୍କ ସହଯୋଗୀ ଅକୋନକାଗୁଆ ଶୃଙ୍ଗ ଛୁଇଁଥିଲେ।
୨୩ ମଇ ୨୦୧୯ ମସିହା ଦିବା ୧୨ଟା ୫୫ ମିନିଟରେ ସେ ଏଭେରେଷ୍ଟ ଶୃଙ୍ଗର ଶିଖରରେ ପହଞ୍ଚିଥିଲେ । ସେଠାରୁ ତଳକୁ ଓହ୍ଲାଇଲାବେଳେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟକ୍ତିଗତ ଭାବେ ସେ ଆମକୁ ବଡ଼ଭାଇ ବୋଲି ସମ୍ବୋଧନ କରିବା ସହିତ ସମ୍ମାନ ଦେଉଥିଲେ ଏବଂ ଅଭିଯାନ ପୂର୍ବରୁ ଆଶୀର୍ବାଦ ଭିକ୍ଷା କରୁଥିଲେ। ଆମର ପ୍ରୋତ୍ସାହନମୂଳକ ଭାଷା ତାଙ୍କୁ ପ୍ରେରିତ କରେ ବୋଲି ବହୁବାର କହିଥିଲେ। ତାଙ୍କର ଅମୃତ ସ୍ମୃତି ଅବିସ୍ମରଣୀୟ ।
